ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର : ଜିଲ୍ଲାପାଳ  

0

ଜିଲ୍ଲା ସ୍ତରୀୟ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଉଦଘାଟିତ 

ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର : ଜିଲ୍ଲାପାଳ  

ବଲାଙ୍ଗିରରୁ  ନିରୋଜ ମିଶ୍ର  –   ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଜିଲ୍ଲାପାଳ ଅରିନ୍ଦମ  ଡାକୁଆଙ୍କ ଦ୍ୱାରା ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶଙ୍କ ସଂଯୋଜନାରେ ପରିଚାଳିତ ସଭାରେ ଜିଲ୍ଲାପାଳ ଶ୍ରୀ ଡାକୁଆ  ନିଜ ଉଦବୋଧନରେ ବିଦ୍ୟାଳୟରୁ ହିଁ ସମାଜ ଗଠନର ମୁଳଭିତ୍ତି, ତେଣୁ ସମାଜର ଶିକ୍ଷାବିତ, ବୁଦ୍ଧିଜିବୀ, ଅଧିକାରୀ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ତଥା ଇଚ୍ଛୁକ ବ୍ୟକ୍ତି ମାନେ ବିଦ୍ୟାଳୟକୁ ଗଢି ତୋଳିବା ପାଇଁ  ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପଧାନ ନିଜ ବକ୍ତବ୍ୟରେ ସ୍କୁଲ ସହିତ ନିଜ ପରିସରରେ ସ୍ଥିତ ସ୍କୁଲ ବିକାଶରେ ଲୋକଙ୍କୁ ଯୋଡିବା ଦିଗରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଉପଯୁକ୍ତ ମଞ୍ଚ ବୋଲି  କହିଥିଲେ ।   ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଡ. ମହେଶ୍ୱର ସ୍ୱାଇଁ  ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ଯୋଡା ଯିବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଶାରିରୀକ, ମାନସିକ ଓ ଆର୍ଥିକ ସହାୟତା ବିଦ୍ୟାଳୟକୁ ଯୋଗାଇ ଦେବା ପାଇଁ ଉତ୍ସାହିତ  ଓ ପ୍ରେରିତ କରିବା ପାଇଁ ଚେଷ୍ଟା କରାଯିବା ଉଚିତ୍  ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ଭୈରବ ସିଂ ପଟେଲ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ଏହି ଯୋଜନାରେ ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷା ପ୍ରେମୀ, ଅଭିଭାବକଙ୍କୁ ସାମିଲ କରାଯାଇ ଏମାନଙ୍କ ଦ୍ୱାରା ସଂଗୃହିତ ପାଣ୍ଠି ବ୍ୟାଙ୍କରେ ଜମା ହେବା ପରେ ଜମାରାଶିର ଦୁଇ ଗୁଣ ଅର୍ଥ ସରକାର ନିଜ ତରଫରୁ ଏକାଉଣ୍ଟରେ ଜମା କରିବେ ବୋଲି କହିଥିଲେ । ପ୍ରକାଶ ଥାଉକି, ୨୦୧୭ ମସିହା ନଭେମ୍ବର ୧୪ ତାରିଖରେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ   । ବିଦ୍ୟାଳୟ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଏହି ବୈଠକ ଡକା ଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଶିକ୍ଷା  ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲାର ୧୪ଟି ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଶିକ୍ଷାବିତ, ବୁଦ୍ଧିଜିବୀ, ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନିଳମଣୀ ପଟେଲ । 

Leave A Reply

Your email address will not be published.