ବଡ଼ବିଲ ସେଣ୍ଟ ମେରିଜ ସ୍କୁଲ ସିଲ : କୋଭିଡ ଗାଇଡ଼ଲାଇନ ଉଲଂଘନ ଅଭିଯୋଗ  

0

ବଡ଼ବିଲ (ଶାସକ ପ୍ରଶାସକ) ସମଗ୍ର ବିଶ୍ୱରେ କୋଭିଡ ୧୯ ପ୍ରକୋପ ଜାରି ରହିଥିବା ବେଳେ ପ୍ରତିକାର ସ୍ୱରୂପ ସରକାର ବିଭିନ୍ନ ସତର୍କତା ମୂଳକ  ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଆସନ୍ତା ଅକ୍ଟୋବର ମାସ (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବାକୁ ନିର୍ଦେଶନାମା ଜାରି କରିଛନ୍ତି। ଏହି ସମୟରେ ଛାତ୍ର ଛାତ୍ରୀଙ୍କୁ ଏକତ୍ର ହେବାକୁ ବାରଣ ରହିଛି। କେବଳ ଅନଲାଇନ ମାଧ୍ୟମରେ ପିଲାଙ୍କୁ ପାଠ ପଢେଇ ପାରିବେ ଏବଂ ଯେଉଁ ପିଲାଙ୍କର କିଛି ଡାଉଟ ଥିବ ସେମାନେ କୋଭିଡ ନିୟମକୁ ପାଳନ କରି  ବ୍ୟକ୍ତିଗତ ଭାବେ ଶିକ୍ଷାନୁଷ୍ଠାନକୁ ଯାଇ ବୁଝିପାରିବେ। ତେବେ  କୌଣସି ବି ପରିସ୍ଥିତିରେ କ୍ଲାସ ହୋଇ ପାରିବ ନାହିଁ। ଏତେ ସବୁ କଟକଣା ସତ୍ତ୍ୱେ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ବଡ଼ବିଲ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ସେଣ୍ଟ ମେରୀଜ ସ୍କୁଲରେ ଦେଖିବାକୁ ମିଳିଛି।

ଆଜି ସକାଳୁ ଏକାଦଶ ଶ୍ରେଣୀର  ଅନଲାଇନ କ୍ଲାସ ଚାଲିଥିବା ବେଳେ ହଠାତ କ୍ଲାସ ବନ୍ଦ କରି ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଧ ଘଣ୍ଟା ମଧ୍ୟରେ ଅର୍ଥାତ ସକାଳ ଦଶଟା ସୁଦ୍ଧା ସ୍କୁଲରେ ପହଁଚିବାକୁ କୁହାଯାଇଥିଲା। ଏନେଇ ଟେକ୍ସ୍ଟ ଓ ଭଏସ ମେସେଜ ମାଧ୍ୟମରେ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଏକ ସେମିନାରରେ ଯୋଗ ଦେବାପାଇଁ କୁହା ଯାଇଥିଲା। ସବୁଠାରୁ ବଡ କଥା ହେଉଛି ଯେ ବିଦ୍ୟାର୍ଥୀ ମାନେ ସ୍କୁଲ ୟୁନିଫର୍ମ ପିନ୍ଧି ନ ଆସିବାକୁ ସ୍ପଷ୍ଟ ଭାବେ ବାରଣ କରାଯାଇଥିଲା। ମେସେଜ ପାଇ ବହୁ ସଂଖ୍ୟାରେ ପିଲା ସ୍କୁଲରେ ପହଞ୍ଚିଥିଲେ ଓ ସେମିନାର ଦୁଇଟି କ୍ଲାସ ରୁମରେ ଆରମ୍ଭ ହୋଇଥିଲା। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ପୌର ଅଧିକାରୀ ଅଭିଷେକ ପଣ୍ଡା ସେଠାରେ ପହଞ୍ଚି ଚଢ଼ାଉ କରିଥିଲେ। ପିଲାମାନେ ଏକାଠି ବସିଥିବା ଓ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା।   ସେ ସେମିନାରକୁ ତତକ୍ଷଣାତ ବନ୍ଦ କରିବାକୁ ନିର୍ଦେଶ ଦେବା ସହ  ବିଦ୍ୟାର୍ଥୀଙ୍କୁ ଘରକୁ ପଠାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡା ତାଗିତ କରିଥିଲେ। ସ୍କୁଲକୁ ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ସିଲ କରାଯାଇଛି ଓ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ପୌର ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.