ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ସଂଘର୍ଷର ସ୍ମରଣ; ଜନଜାତିୟ ଗୌରବ, ସଂସ୍କୃତି ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ
କେନ୍ଦୁଝର,ତା୧୫/୧୧-ମହାନ ଜନଜାତିୟ ସ୍ୱାଧୀନତା ସଂଗ୍ରାମୀ ତଥା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆଜି ଜିଲ୍ଲା ପ୍ରଶାସନ, କେନ୍ଦୁଝର ପକ୍ଷରୁ ସ୍ଥାନୀୟ ଅଡ଼ିଟୋରିୟମ ଠାରେ ଜିଲ୍ଲାସ୍ତରୀୟ ଜନଜାତିୟ ଗୌରବ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ କହିଥିଲେ ଯେ ଜନଜାତି ସମାଜର ଲୋକମାନେ ନିଜ ଅଧିକାର, ପରମ୍ପରା ଓ ସଂସ୍କୃତି ପ୍ରତି ସଚେତନ ଓ ଜାଗ୍ରତ ହେବା ସହ ସ୍ୱାଭିମାନର ସହ ଜୀବନଯାପନ କରିବା ଆବଶ୍ୟକ। ଆଦିବାସୀ ସଂସ୍କୃତି, ଗ୍ରାମ୍ୟ ପରମ୍ପରା ଓ ପ୍ରକୃତି ସହ ଜନଜାତି ସମାଜର ନିବିଡ଼ ସମ୍ପର୍କ ରହିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ସ୍ମରଣ କରି ସେ କହିଥିଲେ, “ଜଙ୍ଗଲ ଆମ ମାଆ। ଜଙ୍ଗଲକୁ କାଟିବା ଅର୍ଥ ନିଜ ମାଆକୁ କାଟିବା ସହ ସମାନ।” ତେଣୁ ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ପରିବେଶର ସନ୍ତୁଳନ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ସମାଜରେ ଜନଜାତି ସମ୍ପ୍ରଦାୟର ପ୍ରତ୍ୟେକ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ଦେବା ସହ ସେମାନଙ୍କ ଜ୍ଞାନ, ପାରମ୍ପରିକ କୃଷି ପଦ୍ଧତି ଓ ଦେଶ ପ୍ରତି ରହିଥିବା ସମର୍ପଣ ଭାବନାକୁ ଗୌରବର ସହ ସ୍ୱୀକାର କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଉପସ୍ଥିତ ଅତିଥିମାନଙ୍କ କରକମଳରେ ‘ଜନଜାତି ଗୌରବ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ନିଜସ୍ୱ ଉଦ୍ୟମରେ ୩ କିଲୋମିଟର କେନାଲ ଖୋଳିଥିବା ପଦ୍ମଶ୍ରୀ ଦୈତାରୀ ନାଏକ ଏବଂ ଭଗାମୁଣ୍ଡା ଟସର ସିଲ୍କ ପାର୍କ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଥିବା ଆଦିବାସୀ ମହିଳା ଉଦ୍ୟୋଗୀ ଶ୍ରୀମତୀ କୁନି ଦେହୁରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାୟକ, କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ନିକୁ ସାହୁ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ଶ୍ରୀ ସଞ୍ଜୀବ କୁମାର ବେହେରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅନୁବ୍ରତ ବେହେରା ଯୋଗଦେଇଥିଲେ। ପ୍ରଶାସନିକ ସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଏବଂ ପିଆଇଟିଡିଏ ଶ୍ରୀ ଶିବ ଶଙ୍କର ମିଶ୍ର ଉପସ୍ଥିତ ଥିଲେ।
ଜନଜାତିୟ ଗୌରବ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିସହ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଆୟୋଜିତ ଜାତୀୟସ୍ତରୀୟ ଜନଜାତିୟ ଗୌରବ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ ଓ ଅଭିଭାଷଣର ସିଧାପ୍ରସାରଣ ଏଠାରେ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଶ୍ରୀ ସତ୍ୟଜିତ ମିଶ୍ର ସୂଚାରୁ ରୂପେ ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ଦେଶପ୍ରେମର ଆଦର୍ଶକୁ ସ୍ମରଣ କରିବା ସହ ଜନଜାତି ସମ୍ପ୍ରଦାୟର ଗୌରବ, ସଂସ୍କୃତିର ସୁରକ୍ଷା ଓ ସାମଗ୍ରିକ ବିକାଶ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ ଥିଲା।