ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ସରକାରୀ ନଥିଲା, ବିଜେଡିର ରାଜନୈତିକ କାର୍ଯ୍ୟକ୍ରମ ଥିଲା: ବିଜେପି

0

ପ୍ଲାଜ୍‌ମା ସଂଗ୍ରହ ପାଇଁ ହୋଇଥିବା ସରକାରୀ ବୈଠକକୁ ବିଜେପି ବିଧାୟକ ଏବଂ ସାଂସଦଙ୍କୁ ଅଣଦେଖା ଅଭିଯୋଗ

ବାରିପଦା,(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜରେ ଜୋର୍‌ ଧରିଛି କରୋନା ରାଜନୀତି। ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରୀ ଭାବେ ମୟୂରଭଞ୍ଜ ଗସ୍ତ କରିଥିବା ଆଇନ, ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିଜେଡି ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହି ବିଜେପି ଅଭିଯୋଗ କରିଛି। ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ସଦରମହକୁମା ବାରିପଦାରେ ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କରିଥିବା ସରକାରୀ ବୈଠକରେ ରାଜସ୍ବ ମନ୍ତ୍ରୀ, ମୋରଡ଼ା ବିଧାୟକ ଏବଂ ରାଜ୍ୟସଭା ସାଂସଦଙ୍କୁ ସାମିଲ କରିଥିଲେ। ମାତ୍ର ସ୍ଥାନୀୟ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ସାଂସଦ ବିଶ୍ବେଶ୍ବର ଟୁଡୁ କିମ୍ବା ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁଙ୍କୁ ବୈଠକରେ ସାମିଲ କରିବା ତ’ ଦୂରେ ଥାଉ କୌଣସି ସୂଚନା ମଧ୍ୟ ଦେଇନଥିଲେ। ଏନେଇ ସରକାରୀ ପ୍ରୋଟୋକଲ୍‌କୁ ଉଂଲଘନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ୍‌। ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ମଧ୍ୟ ତ୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ଜେନା ସମ୍ପୂର୍ଣ୍ଣ ପାସୋରି ଦେଇଥିବା ବିଧାୟକ ଶ୍ରୀ ସୋରେନ୍‌ ଅଭିଯୋଗ କରିଛନ୍ତି। ଯଦି ବିଜେଡି ବିଧାୟକ, ସାଂସଦଙ୍କୁ ସରକାରୀ ବୈ୦କରେ ସାମିଲ କରାଯାଇପାରୁଛି ତେବେ ବିଜେପି ବିଧାୟକ ଏବଂ ସାଂସଦଙ୍କୁ ବୈଠକ ସମ୍ପର୍କରେ କଣପାଇଁ ସୂଚନା ଦିଆଗଲା ନାହିଁ ବୋଲି ଶ୍ରୀ ସୋରେନ୍‌ ପ୍ରଶ୍ନ ଉଠାଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ଏହି ଗସ୍ତ ସମ୍ପୂର୍ଣ୍ଣ ଭାବେ ଦଳୀୟ କାର୍ଯ୍ୟକ୍ରମ ଥିଲା। ପ୍ଲାଜ୍‌ମା ସଂଗ୍ରହ ପାଇଁ ଦରଦ ନଥିଲା। କେବଳ ସୋ’ବାଜିକୁ ପ୍ରାଧାନ୍ୟ ଦିଆଯାଇଥିବା ବିଧାୟକ ଶ୍ରୀ ସୋରେନ୍‌ କହିଛନ୍ତି। କେବଳ ବାରିପଦାରେ ନୁହେଁ ରାଇରଙ୍ଗପୁରରେ ମଧ୍ୟ ସମାନ କଥା ହୋଇଥିଲା। ସେଠାରେ ମଧ୍ୟ ସ୍ଥାନୀୟ ବିଜେପି ବିଧାୟକଙ୍କୁ ଅଣଦେଖା କରାଯାଇଥିବା ବିଧାୟକ ଶ୍ରୀ ସୋରେନ୍‌ ଅଭିଯୋଗ କରିଛନ୍ତି। କରୋନା ସମୟରେ ସମସ୍ତେ ମିଳିମିଶି ଏହି ଯୁଦ୍ଧ ଲଢ଼ୁଛନ୍ତି। ମାତ୍ର ବିରୋଧୀ ଜନପ୍ରତିନିଧିମାନଙ୍କୁ ବିଶ୍ବାସକୁ ନିଆନଯିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି ଶ୍ରୀ ସୋରେନ୍‌ ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.