ଚାଲିବାକୁ ଅଛି ଅନେକ ବାଟ : ତଥାପି ହାର ମାନିନାହାଁନ୍ତି ନରୋତ୍ତମ,  ଥକି ନାହାଁନ୍ତି ପୁଷ୍ପା

0

http://www.youtube.com/watch?v=Fiqk4oD6IQU

ପ୍ରବଳ ଇଛାଶକ୍ତି ଓ ଭଉଣୀଙ୍କ ତ୍ୟାଗ ଆଗରେ ହାର ମାନିଛି  ଭିନ୍ନକ୍ଷମତା 

ଝାରସୁଗୁଡ଼ା 🙁 ସୁଭାଷ ସହାରେ) ଏକ ଦୁର୍ଘଟଣାରେ ନିଜର ଦୁଇହାତ ହରାଇଥିଲେ ମଧ୍ୟ ନିଜକୁ ଅକର୍ମଣ୍ୟ ବୋଲି ଧୈର୍ଯ୍ୟ ହରାଇଲେ ନାହିଁ, ଏକଦା ଜେସିବିଚାଳକ ଭାବରେ  କାର୍ଯ୍ୟ କରୁଥିବା ଝାରସୁଗୁଡ଼ା ଜିଲ୍ଲାର କିରମିରା ବ୍ଲକର ଝାରମୁଣ୍ଡା ଗ୍ରାମ ନିବାସୀ ନରୋତ୍ତମ ସାହୁ। ଗ୍ରାମର ଲୋକଙ୍କ ପାଖରେ ସେ ଛୋଟୁ ନାମରେ ଜଣାଶୁଣା। ଅକ୍ଟୋବର ୨୦୧୦ରେ ଏକ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିଲେ ନରୋତ୍ତମ। ଏବଂ ତାହା ପରେ ତାଙ୍କର ସଂଘର୍ଷମୟ ଜୀବନ ଆରମ୍ଭ ହୋଇଗଲା। ଏକବର୍ଷ ଧରି ସେ ସଂପୂର୍ଣ୍ଣ ଭାବରେ ବେରୋଜଗାର ଧରି ରହିବା ସତ୍ତ୍ୱେ, ହାର ମାନି ନଥିଲେ। ସୁସ୍ଥ ହେବା ପରେ ଟାୟାର ଦୋକାନରେ କାମ କଲେ ଓ ପରେ ପାଖାପାଖି ଦୁଇବର୍ଷ ଦିନ ମଜୁରିଆ କାମ କଲେ।  କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନରୋତ୍ତମ  ଏବେ ଲୋକଙ୍କ ଜମିକୁ ପାୱାର ଟିଲର ଦ୍ବାରା ହଳ କରିପାରୁଛନ୍ତି। ଏପରିକି ପାୱାର ଟିଲରର ମରାମତି ମଧ୍ୟ କରିପାରନ୍ତି। ଦୁଇଚକିଆ ଯାନ ଚଳାଇ ପାରିବା ସହ ସେ ସମସ୍ତ କାମ କରିପାରୁଛନ୍ତି। ସମାଜ ସେବାରେ ମଧ୍ୟ ନିୟୋଜିତ କରିଛନ୍ତି । ନିତି ରକ୍ତଦାନ ମଧ୍ୟ କରୁଛନ୍ତି। ଏ ମଧ୍ୟରେ ସେ ବିବାହ କରିଛନ୍ତି ଓ ତାଙ୍କର ଏକ ୮ ମାସ ବୟସର ଶିଶୁପୁତ୍ର ମଧ୍ୟ ଅଛି। ପତ୍ନୀ ମଧ୍ୟ ତାଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲୁଛନ୍ତି। ସରକାରୀ ଭତ୍ତା ଓ ନିଜ ପରିଶ୍ରମରୁ ଯାହା ମିଳେ, ପରିବାର ଚଳାଇବାରେ କଷ୍ଟ ହୁଏ ନାହିଁ। ମାତ୍ର କିଛି ସରକାରୀ ଅନୁଦାନ ମିଳିଲେ ସେ ଏକ ବ୍ୟବସାୟ ଆରମ୍ଭ କରି ନିଜର ଓ ପରିବାରର ବର୍ତ୍ତମାନ ଓ ଭବିଷ୍ୟତ ଉଭୟକୁ ସୁରକ୍ଷିତ କରି ପାରନ୍ତେ ବୋଲି କହିଛନ୍ତି ନରୋତ୍ତମ।

ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର 10, 2010 ରେ  ଘଟିଥିବା ଏହି ଦୁର୍ଘଟଣାରେ ଏକ 440 କେଭି ତାର ଛିଣ୍ଡିଯାଇ ନରୋତ୍ତମଙ୍କ ହାତରେ ପଡ଼ିଥିଲା। ଚିକିତ୍ସା ପାଇଁ ୬ ଦିନ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ରହିବା ପରେ ଅର୍ଥାଭାବରୁ ଚିକିତ୍ସା ହୋଇ ପାରୁ ନଥିଲା। ଏହି ସମୟରେ ମାନବ ସେବା ସଂଘର କର୍ମକର୍ତ୍ତାମାନଙ୍କ ସହଯୋଗରୁ ପ୍ରଥମେ ନରୋତ୍ତମଙ୍କୁ ବୁର୍ଲା ନିଆଗଲା। ମାତ୍ର ବୁର୍ଲାରେ ଏହାର ଚିକିତ୍ସା ହୋଇ ନ ପାରିବାରୁ ପରେ କଟକକୁ ନେଇ ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସାର ସମସ୍ତ ଖର୍ଚ୍ଚ ମାନବ ସେବା ସଂଘ ତୁଲାଇଥିଲେ। ମାତ୍ର ଏହି ସଂଘର୍ଷମୟ ପରିସ୍ଥିତିରେ ନରୋତ୍ତମ ପାଇଁ ଯଦି କିଏ ସବୁଠାରୁ ବେଶୀ କଷ୍ଟ ସ୍ବୀକାର କରି ପରିସ୍ଥିତିର ମୁକାବିଲା କରିଥିଲେ ଏବଂ ନରୋତ୍ତମଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଥିଲେ, ସେ ତାଙ୍କର ଭଉଣୀ ପୁଷ୍ପା ସାହୁ। ଏକାକୀ ନିଜ ମରଣାସନ୍ନ ଭାଇକୁ ନେଇ ସେ ଝାରସୁଗୁଡ଼ା, ବୁର୍ଲା ଓ କଟକରେ ଧୈର୍ଯ୍ୟ ଓ ସାହସର ସହିତ ଚିକିତ୍ସା କରାଇଥିଲେ। ଆଶ୍ଚର୍ଯ୍ୟର କଥା ଏପରି ଵିପତ୍ତି ସମୟରେ ତାଙ୍କ ପାଖରେ କେହି ଛିଡ଼ା ନ ହେବା  ସତ୍ତ୍ୱେ ସେ ନିଜ ଭାଇ ପ୍ରତି ସମସ୍ତ କର୍ତ୍ତବ୍ୟ ନିଭାଇଥିଲେ। ସରକାରଙ୍କ ଏମବିକେ ଯୋଜନାରେ କାର୍ଯ୍ୟ କରୁଥିବା ପୁଷ୍ପା ନିଜ ପରିବାର ପାଇଁ ଅବିବାହିତ ରହି ନରୋତ୍ତମଙ୍କର ଓ ପରିବାର ପ୍ରତି ସମସ୍ତ ଦାୟିତ୍ବ ତୁଲାଇଛନ୍ତି। ଆଜି ମଧ୍ୟ ସେ ନିଜର ଦାୟିତ୍ୱରୁ ମୁହଁ ମୋଡ଼ି ନାହାଁନ୍ତି। ତଥାପି ସରକାର ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.