Baragarh/ Neel Deep : ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜଣେ ଚାଷୀ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ନାମ ଅକ୍ରୁର ବିଶି (୫୦)। ଘର ବରଗଡ଼ ଜିଲାର ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମରେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତ ୩୦ ତାରିଖରେ କାଳବୈଶାଖୀ ବର୍ଷାପବନ ଓ କୁଆପଥର ମାଡ଼ ଯୋଗୁ ଜିଲାର ବରପାଲି ଥାନା ଅନ୍ତର୍ଗତ କନବାର ପଞ୍ଚାୟତରେ ରବିଧାନ ଫସଲର ବ୍ୟାପକ କ୍ଷତି ହୋଇଛି। କ୍ଷତିପୂରଣ ଦାବିରେ କନବାର ପଞ୍ଚାୟତର ଚାଷୀମାନେ ଗୁରୁବାର ପୂର୍ବାହ୍ନରେ ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ସହ ଆନ୍ଦୋଳନ କରିଥିଲେ। ଏହି ସମୟରେ କେତେଜଣ ଚାଷୀ ହାତରେ ବିଷ ବୋତଲ ଧରିଥିଲେ। ସେମାନଙ୍କ ମଧ୍ୟରୁ ଅକ୍ରୁର ଧରିଥିବା ବିଷ ବୋତଲ ଖୋଲି ବିଷ ପିଇ ଦେଇଥିଲେ। ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ଅନ୍ୟମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଚାଷୀମାନଙ୍କ ସହିତ ଆଲୋଚନା କରୁଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା ଚଳାଇଛନ୍ତି। ଚାଷୀମାନେ ଜିଦରେ ଅଟଳ ରହିଛନ୍ତି।ଅକ୍ରୁରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
