ବିବାଦୀୟ ନେତା, ତଥା ଦଳ ବିରୋଧରେ କାମ କରୁଥିବା ଅଭିଯୋଗରେ ବିଜେଡ଼ିରୁ କଣଠେସା ହୋଇ ଏକପ୍ରକାର ତଡା ଖାଇଥିବା ବୈଜୟନ୍ତ ପଣ୍ଡାଙ୍କ ଶିବିର ଛାଡି ଦଳର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଟାଣୁଆ ଯୁବନେତା ଦୂର୍ଗାଶିଷ ମହାନ୍ତିଙ୍କୁ ପୁରସ୍କାର ମିଳିଛି | ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶୀଷଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ।
ସେହିପରି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ନିବେଦିତା ମହାନ୍ତି (ନବରଙ୍ଗପୁର) ଓ ଭଗବତୀ ମହାନ୍ତ (ସୁକିନ୍ଦା) ଏବଂ ରାଜ୍ୟ ସଂପାଦକ ଭାବେ ସୁଜାତା ପାଲ୍ (ରାୟଗଡ଼ା), ମାଳତୀ ଗୁରୁ (ନୟାଗଡ଼), ନମିତା ନାୟକ (ହିନ୍ଦୋଳ ), ସ୍ନେହଲତା ପଣ୍ଡା (ଖଲ୍ଲିକୋଟ୍)ଙ୍କୁ ନିଯୁକ୍ତି ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ମହିଳା ବିଜେଡି ସଭାପତି ଭାବେ ପଦ୍ମିନୀ ଶେଖର ଦେଓ ଏବଂ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ କଟକ ଚାଉଳିଆଗଞ୍ଜର ପ୍ରମିଳା ମହାନ୍ତି, କେନ୍ଦ୍ରାପଡ଼ାର କନକଲତା କଣ୍ଠ ଓ ଯାଜପୁର ଜିଲ୍ଲା ସୁଜନପୁରର ରଶ୍ମୀରେଖା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
