ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ନାୟିକା ଉଠିଲା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଷାଢ଼ ଶୁକ୍ଳ ତୃତୀୟା ତିଥିରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ନିମନ୍ତେ ବାରିପଦା ଦେବୋତ୍ତର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହାୟତାରେ ରଥ ମହାପାତ୍ର ମୃତୁ୍ୟଞ୍ଜୟ ମହାପାତ୍ର ରଥ କାରିଗରମାନଙ୍କୁ ନେଇ ଆରମ୍ଭ କରିଛନ୍ତି  ରଥ ନିର୍ମାଣ । ଶ୍ରୀକ୍ଷେତ୍ରଧାମ ପୁରୀରେ ରଥର ନାହକ ଦେବସ୍ନାନ ପୂର୍ଣ୍ଣିମାରେ ଉଠୁଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶୁଭ ଲଗ୍ନ ଓ ତିଥି ଦେଖି ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୪ ନାୟିକା ଉଠିଥାଏ । ଆଜି ଦେବୋତ୍ତର ବିଭାଗ ପକ୍ଷରୁ ରାତି ପ୍ରାୟ ୮ଟା ସମୟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ନାୟିକା ଉଠିଲା । କିନ୍ତୁ ବିଶ୍ୱ ମହାମାରୀ କରୋନାକୁ ନେଇ ଲକ୍ ଡ଼ାଉନର ମାର୍ଗଦର୍ଶୀକା ଜାରି ରହିଥିବା କାରଣରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ରୀତିକାନ୍ତି ବିଧି ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଥିବାର ପରିଲକ୍ଷିତ ହୋଇଥିଲା । ପ୍ରତ୍ୟେକ ବର୍ଷ ମନ୍ଦିରରେ ସନ୍ଧ୍ୟା ଆଳତୀ ଶେଷ ହେବା ପରେ ବିଶ୍ୱ ନିର୍ମାତା ବିଶ୍ୱକର୍ମା ମନ୍ଦିରରୁ ରଥ ଖଳାକୁ ବିଜେ କରିବା ପରେ ତିନି ରଥରେ ନାୟିକା ଉଠିଥାଏ । ଏହି ସମୟରେ ମନ୍ଦିର ଭିତରେ ମହାପ୍ରଭୂ ମଦନମୋହନ ଚାହାଣି ମଣ୍ଡପରୁ ରଥ ଖଳାରେ ବିଶ୍ୱ ନିର୍ମାତାଙ୍କ ନାୟିକା ଉଠାଇବାକୁ ଦେଖିଥାନ୍ତରି । ମାତ୍ର କରୋନା ନିମନ୍ତେ ବିଶ୍ୱକର୍ମା ବିଜେ ନ ହୋଇ ତାଙ୍କର ଆଜ୍ଞାମାଳ ଧରି ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତବାବୁ ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ରଥ ଖଳାକୁ ଆସିବା ପରେ ମାପ୍ରଭୂଙ୍କ ମୁଖ୍ୟ ସେବାୟତ ଅରୁଣ କୁମାର ମିଶ୍ର ତିନି ରଥକୁ ରୀତିନୀତି ଓ ବିଧିବ୍ୟବସ୍ଥା ମଧ୍ୟରେ ପୂଜାର୍ଚ୍ଚନା କରିବା ପରେ ରଥ ମହାପାତ୍ର ମୃତୁ୍ୟଞ୍ଜୟ ମହାପାତ୍ର ଅନ୍ୟ ରଥ କାରିଗରମାନଙ୍କ ସହଯୋଗରେ ରଥର ନାୟିକା ଉଠାଇଥିଲେ ।  ଏହି ସମୟରେ ଦେବୋତ୍ତର ବିଭାଗର କର୍ମଚାରୀ, ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.