ଆଳୁ ଖୋଳୁ ଖୋଳୁ ମହାଦେବ : ଚାଉଳ ଚୋରି ଖୋଜୁ ଖୋଜୁ ବାହାରିଲାଣି କିରାସିନି ଚୋରି 

0

ବଲାଙ୍ଗୀର (ଶାସକ ପ୍ରଶାସକ) : ଆଳୁ ଖୋଳୁ ଖୋଳୁ ମହାଦେବ ବହାରିଲା ପରି ଚାଉଳ ଦୁର୍ନୀତିର ତଦନ୍ତ କରୁକରୁ ବାହାରିଲା କିରାସିନି କଳେଙ୍କାରୀ। ଗରିବ ଖଟିଖିଆଙ୍କ ମୁହଁରେ ତାଲା ପକାଇ ଦିନ ଦି’ପହରରେ ତାଙ୍କ ନାଁରେ ହରିଲୁଟ୍‌ ହେଉଛି କିରାସିନି!  ହିତାଧୀକାରୀଙ୍କୁ ଦେଢ଼ ଲିଟର କିରାସିନି ଦେଇ ସରକାରୀ ଖାତାରେ ଦୁଇ ଲିଟର ଲେଖୁଛନ୍ତି। ମହାମାରୀ ‘କରୋନା’ ସମୟରେ ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ମହିମୁଣ୍ଡା ପଞ୍ଚାୟତରୁ। ଏନେଇ ଅଭିଯୋଗ ହେବାପରେ ଖାଉଟି ଓ ଯୋଗାଣ ବିଭାଗ ତତ୍ପର ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।ମହିମୁଣ୍ଡା ପଞ୍ଚାୟତରେ ଡିଲରମାନେ ହିତାଧୀକାରଙ୍କୁ ଦେଢ଼ ଲିଟର କିରାସିନି ଦିଆଯାଉଛି। ଏନେଇ ଖାଉଟିଙ୍କ ରାସନ କାର୍ଡରେ ଲେଖାଯାଉଛି। ହେଲେ ସରକାରୀ ଖାତାରେ କାର୍ଡ ପିଛା ଦୁଇ ଲିଟର କିରାସିନି ଦିଆଯାଉଥିବା ଲେଖାଯାଉଛି। ଅଧ ଲିଟର କିରାସିନି ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଏପରି ଅନିୟମିତତା ବର୍ଷବର୍ଷ ଧରି ଚାଲୁଥିବା ଅଭିଯୋଗ ହୋଇଛି।ସହ ଯୋଗାଣ ଅଧିକାରୀ କହିଛନ୍ତି, “ଗତକାଲି ମହିମୁଣ୍ଡା ପଞ୍ଚାୟତର ହିତାଧୀକାରୀମାନେ ଏନେଇ ଅଭିଯୋଗ କରିଛନ୍ତି। ତଦନ୍ତ ପାଇଁ କରାଯାଉଛି। ତଦନ୍ତ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।”ଜଣେ ହିତାଧିକାରୀ କହିଛନ୍ତି,“ ମନଇଚ୍ଛା ଡିଲର କିରାସିନି ଦେଉଛି। ଗୋଟେଏ ଦିନ ଡେରି ହେଲେ କିରାସିନି ନାହିଁ ବୋଲି ଡିଲର କହୁଛନ୍ତି। ଆଉ ଯେଉଁ ସମୟରେ କିରାସିନି ଦେଉଛନ୍ତି, ଲିଟର ପିଛା ୪୦ ଟଙ୍କା ନେଉଛନ୍ତି।”ସରକାରୀ ନିୟମ ଅନୁସାରେ କିରାସିନି ଲିଟର ପିଛା ୧୫ ଟଙ୍କାରେ ହିତାଧୀକାରୀଙ୍କୁ ଦିଆଯିବା କଥା। ହେଲେ ଡିଲର ୪୦ ଟଙ୍କାରେ କିରାସିନି ଦେଉଛନ୍ତି। ଏହି ଅନିୟମିତତା ସମ୍ପର୍କରେ ହିତାଧିକାରୀମାନେ ଜାଣିପାରି ଗତକାଲି ଯୋଗାଣ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ।ସୂଚନାଯୋଗ୍ୟ, କିଛିଦିନ ତଳେ ‘କରୋନା’ ସହାୟତା ରାଶି ବଣ୍ଟନ ବେଳେ ସ୍ଥାନୀୟ ସରପଞ୍ଚ ପିଡିଏସ୍ ଚାଉଳ ଦୁର୍ନୀତିର ପର୍ଦ୍ଦାଫାସ୍ କରିଥିଲେ ପରେ ଯୋଗାଣ ସହାୟକଙ୍କୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.