କରୋନା ଝଟକା ସମ୍ଭାଳିବା ପାଇଁ ୧୭୦୦୦ କୋଟି ବ୍ୟୟ ବରାଦ ବ୍ୟବସ୍ଥା

16

 

କ୍ୟାବିନେଟରେ  ମଧ୍ୟ ୨୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ 

ଆସ୍କା ଚିନିକଳକୁ ଦିଆଯିବ  ୧୫ କୋଟି ଟଙ୍କାର ସହାୟତା

ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା, ମୋଜା ଏବଂ ସ୍ୱେଟର

ଧାମରାରେ ଏକ ଟେକ୍ସଟାଇଲ ପାର୍କ ଓ ଢ଼େଙ୍କାନାଳରେ ମେଡ଼ିକାଲ୍ ପାର୍କ

ପ୍ରବାସୀଙ୍କୁ ଏମଜିନରେଗାରେ ଦିଆଯିବ କାମ, ସୃଷ୍ଟି ହେବ ୧୯୨ ଓଏଏସ୍ ପଦବୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଲକ ଡାଉନ ଅସ୍ତବ୍ୟସ୍ତ ହୋଇଯାଇଥିବା ଜୀବନ, ଅସଜଡ଼ା ଆର୍ଥିକ ସ୍ଥିତି ଆଉ ତଥା ମଉଳି ଯାଇଥିବା ମାନସିକତାକୁ ଟ୍ରାକକୁ ଆଣିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁତୁତ୍ତ୍ୱପୁର୍ଣ ନିଷ୍ପତ୍ତି |  ଲକ୍ ଡାଉନ୍ ଯୋଗୁ  ଜୀବିକା ହରାଇଥିବା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ସର୍ବୋପରି ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଜୀବିକା ସୃଷ୍ଟି ପାଇଁ ୧୭ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କିତ ବିଧିବଦ୍ଧ ଖସଡ଼ା ଚୂଡାନ୍ତ ହୋଇଛି । ଚଳିତ ଜୁନ୍ ମାସରୁ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ  ଖର୍ଚ ହେବାକୁ ଥିବା ଏହି ଅର୍ଥରେ ପ୍ରବାସୀ ଶ୍ରମିକଙ୍କୁ ଜୀବିକା ଯୋଗାଇ ମଧ୍ୟ ବ୍ୟବସ୍ଥା କରାଯିବ । ପ୍ରବାସୀ ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି | ଗ୍ରାମାଞ୍ଚଳ ବିଶେଷକରି ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଉନ୍ନତିକୁ ଆଖିରେ ରଖି ଜୀବିକା ଯୋଗାଇ ଦେବାକୁ ଖସଡ଼ା ପ୍ରସ୍ତୁତ ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ  ବୈଠକ ପରେ ସୂଚନା ଦେଇଛନ୍ତି |

 ଚୂଡାନ୍ତ ହୋଇଥିବା ପ୍ରସ୍ତାବ ଅନୁଯାୟୀ  କୃଷି, କୃଷି ଭିତ୍ତିକ ଶିଳ୍ପ, ମତ୍ସ୍ୟ ଓ ପଶୁପାଳନ, ହସ୍ତଶିଳ୍ପ ଆଦି କ୍ଷେତ୍ରରେ ୧୭ ହଜାର କୋଟି ବିନିଯୋଗ କରାଯାଇ ଲୋକଙ୍କୁ କାମ ଯୋଗାଇ ଦିଆଯିବ । କେବଳ କୃଷି ପାଇଁ ଖର୍ଚ୍ଚ ହେବାକୁ ଥିବା ୨୦୦ କୋଟି ଟଙ୍କାରେ ୨୪. ୫ ଲକ୍ଷ ଚାଷୀ ଉପକୃତ ହେବେ । ୫ ଲକ୍ଷ ପରିବା ଚାଷୀଙ୍କୁ ହାଇବ୍ରିଡ୍ ମଂଜି ଯୋଗାଇ ଦିଆଯିବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିଙ୍କୁ ଛତୁଚାଷ ପାଇଁ ସହାୟତା ଦିଆଯିବ । ମାଛଚାଷ ପାଇଁ ବିନିଯୋଗ ହେବ ୧୧୧.୪୭ କୋଟି ଟଙ୍କା ଦିଆଯିବ । ଦକ୍ଷତା ବିକାଶ ପାଇଁ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏମଜିନରେଗାରେ ଅଧିକ ଶ୍ରମଦିବସ ସୃଷ୍ଟି କରାଯାଇ ପ୍ରବାସୀଙ୍କୁ କାମ ଦିଆଯିବ | ଅର୍ଥ, ରାଜସ୍ୱ,ଖାଦ୍ୟ ଯୋଗାଣ, ସମବାୟ,ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । 

ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବି ୨୨ଟି ପ୍ରସ୍ତାବରେ କ୍ୟାବିନେଟ୍  ମଞ୍ଜୁରୀ ପ୍ରଦାନ କରିଛି | ମୁଖ୍ୟ ପ୍ରସ୍ତାବ ଗୁଡିକ ମଧ୍ୟରେ  ୬ ରୁ ୭ ହଜାର କୋଟି ତାଙ୍କ ବିନିଯୋଗରେ ଧାମରାରେ ଏକ ଟେକ୍ସଟାଇଲ ପାର୍କ ଓ ଢ଼େଙ୍କାନାଳରେ ଏକ ମେଡ଼ିକାଲ୍ ପାର୍କ ପ୍ରତିଷ୍ଠା ହେବ । ଉଭୟ ପ୍ରକଳ୍ପ ୧୦୦୦ ଏକର ଲେଖାଏଁ ଜାଗାରେ ନିର୍ମିତ ହେବ । ଧାମରାର  ଟେକ୍ସଟାଇଲ ପାର୍କରେ  ୨୦ ହଜାର ଜଣଏବଂ ଢ଼େଙ୍କାନାଳର ମେଡ଼ିକାଲ୍ ପାର୍କରେ  ୧୫ ହଜାର ଲୋକ କର୍ମନିଯୁକ୍ତି ପାଇବେ । ଶକ୍ତି ବିଭାଗ ଅଧୀନକୁ ଆସିବ  ବିଜ୍ଞାନ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା  ‘ଓରେଡା’ । ଏଥିପାଇଁ ଆକ୍ଟରେ ଆବଶ୍ୟକ ସଂଶୋଧନ କରାଯିବ ।  ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରିବେ । ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ । ଠିକା ଚାଷୀଙ୍କୁ ମିଳିବ ବହୁ ସୁବିଧ‌ା ବ୍ୟବସ୍ଥା ହୋଇପାରିବ । ଗ୍ରାମାଞ୍ଚଳରେ ପ୍ରତି ଘରକୁ ବାଡ଼ିବଗିଚାରେ ଲଗାଇବା ଲାଗି ଗଛ ଚାରା ଯୋଗାଇ ଦିଆଯିବ। ରାଜ୍ୟ ଖାଦ୍ୟ ନିରାପତ୍ତାରେ ଦାଦନ ଶ୍ରମିକଙ୍କୁ ସାମିଲ କରାଯିବ |

 ପ୍ରସ୍ତାବିତ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଯୋଗାଇ ଦିଆଯିବ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ଦିଆଯିବ । ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା, ମୋଜା ଏବଂ ସ୍ୱେଟର ଦିଆଯିବ ।  ଆଉ ୧୯୨ ନୂଆ ଓଏଏସ୍ ପଦବୀ ସୃଷ୍ଟି କରାଯିବ । ବାଲେଶ୍ୱରରେ ପ୍ରସ୍ତାବିତ ଏନଡିଆରଏଫ୍ ଷ୍ଟେସନ୍ ପାଇଁ ସରକାର ଦେବେ ସାଢ଼େ ୩ ଏକର ଜମି । ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙ୍କାର ସହାୟତା । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି. । ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଣ୍ଟ ନିର୍ମାଣ ଲାଗି ଜମି ଯୋଗାଇ ଦେବ ଇଡକୋ । ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା । ନିକଟରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସରକାର କରିଥିବା ଭାଟ୍ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି | 

Leave A Reply

Your email address will not be published.