ଓଡ଼ିଶାରେ ଅଛି ନିର୍ମାଣ ଶ୍ରମିକ ବୋର୍ଡ : କୃଷି ଶ୍ରମିକ ବୋର୍ଡ କଥା ଚିନ୍ତା ଭିତରେ ନାହିଁ

0

ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ଅନ୍ୟୁନ  ୧୨ଟି ଜିଲ୍ଲାରେ କୃଷି ଶ୍ରମିକଙ୍କ ଠାରୁ ଅଧିକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି । ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ସମଗ୍ର ରାଜ୍ୟରେ ୨୨,୩୪,୫୬୯ ଜଣ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ପରିଚୟପତ୍ର ଦିଆଯାଇଛି । କୃଷି ନିର୍ଦ୍ଦେଶକଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୦-୧୧ ଜନଗଣନା ଅନୁଯାୟୀ ରାଜ୍ୟରେ କୃଷି ଶ୍ରମିକଙ୍କ ସଂଖ୍ୟା ୨୪,୨୦,୫୪୦ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । 

ସରକାରଙ୍କ ପ୍ରଦତ୍ତ ହିସାବ ଅନୁଯାୟୀ କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା କୃଷି ଶ୍ରମିକଙ୍କ ଠାରୁ ଢେର୍ ଅଧିକ । ଏମିତିକି ଗୋଟିଏ ଗୋଟିଏ ଜିଲ୍ଲାରେ ଏହି ସଂଖ୍ୟା ଦୁଇରୁ ଅଢେ଼ଇ ଗୁଣ ଅଧିକ ଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରେ କୃଷି ଶ୍ରମିକଙ୍କ ସଂଖ୍ୟା ୬୪,୦୭୨ ଥିବା ବେଳେ ଏଠାରେ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୧,୫୩,୬୪୭ ରହିଛି । କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ କରି ରହିଥିବା ବେଳେ ମୟୂରଭଞ୍ଜ, କଳାହାଣ୍ଡି, ଯାଜପୁର, ଗଞ୍ଜାମ, କଟକ, ବଲାଙ୍ଗୀର, ବରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ କୃଷି ଶ୍ରମିକଙ୍କ ସଂଖ୍ୟା ମଧ୍ୟ ୧ ଲକ୍ଷରୁ ଅଧିକ କରି ରହିଛି । 

ଗତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ୬,୫୧,୧୭୦ ଜଣ ବୀମାଭୁକ୍ତ ହିତାଧିକାରୀ ଶ୍ରମିକଙ୍କୁ ୪ଟି ଇଏସ୍ଆଇ ଚିକିତ୍ସାଳୟ ଓ ୪୧ଟି ଡାକ୍ତରଖାନା ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ୨୦୧୩-୧୪ ବର୍ଷରେ ଇଏସ୍ଆଇ ବୀମାଭୁକ୍ତ ୩୧,୮୧୮ ଶ୍ରମିକ ଓ ତାଙ୍କର ପରିବାରକୁ ୭.୬୩ କୋଟି ଟଙ୍କାର ଚିକିତ୍ସା ସୁବିଧା ଦିଆଯାଇଥିବା ବେଳେ ୨୦୧୭-୧୮ ବର୍ଷରେ ୬୪,୩୦୭ ବୀମାଭୁକ୍ତ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ଲାଗି ଏ ବାବଦରେ ୧୬ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି । 

ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରି ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଥିବା ବେଳେ କୃଷି ଶ୍ରମିକଙ୍କ ପାଇଁ ଅନୁରୂପ ବୋର୍ଡ ଗଠନ ଲାଗି ପ୍ରଶ୍ନଛଳରେ ବିଧାୟକ ଶ୍ରୀ ରାୟ ଉଠାଇଥିବା ପ୍ରସଙ୍ଗ ଉପରେ କିନ୍ତୁ ମନ୍ତ୍ରୀ ତାଙ୍କ ଉତ୍ତରରେ କିଛି ଉଲ୍ଲେଖ କରିନାହାନ୍ତି । 

Leave A Reply

Your email address will not be published.