ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଋକ୍ତ ଅଭାବରୁ ନିଃସହାୟ ମହିଳାଙ୍କ ମୃତ୍ୟୁ ଦୁଃଖଦାୟକ : ଟଙ୍କଧର ତ୍ରିପାଠୀ

0 1

 

 ସ୍ୱାସ୍ଥ୍ୟମନ୍ତ୍ରୀ ଏହି ମୃତ୍ୟୁର ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ  

 ମୃତ୍ୟୁ ବାବଦକୁ କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର

 ସ୍ୱାସ୍ଥ୍ୟ ମନ୍ତ୍ରୀ ରକ୍ତଭଣ୍ଡାର କାମ କରିବ କହି ଘଟଣା ଉପରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି

 ଘଟଣାର ଉପଯୁକ୍ତ ତଦନ୍ତ ହେବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ

 ପୁରୁଣା ହସ୍ପିଟାଲରୁ ନୂଆ ହସ୍ପିଟାଲ ପର୍ଯ୍ୟନ୍ତ ୨୪ ଘଂଟିଆ ଆମ୍ବୁଲାନ୍ସ ସୁବିଧା କରିବାର ଦାବୀ ଦୋହରାଇଲେ  

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ରକ୍ତ ଭଣ୍ଡାର ପରିଚାଳନାରେ ଗୁରୁତର ତ୍ରୁଟି ତଥା ପ୍ରଶାସନିକ ଅବହେଳା କାରଣରୁ ଜଣେ ଗରିବ ମହିଳାଙ୍କ ରକ୍ତ ଅଭାବରୁ ଦୁର୍ଭାଗ୍ୟଜନକ ମୃତ୍ୟୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ଯୁବମୋର୍ଚ୍ଚା  ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ |

 ପୁରୁଣା ଜିଲ୍ଲା ଚିକିତ୍ସାଳୟ ବିଲଡିଂରେ ରକ୍ତଭଣ୍ଡାର ପୂର୍ବପରି ରହିଛି । ମାତ୍ର ନୂଆ ଜିଲ୍ଲା ଚିକିତ୍ସାଳୟ ଯେଉଁଠାରେ ଏବେ କାର୍ଯ୍ୟକ୍ଷମ ହୋଇଛି, ସେଠାରେ ରକ୍ତଭଣ୍ଡାରର ବ୍ୟବସ୍ଥା ନାହିଁ । ଏହି ଗରିବ ରୋଗୀଙ୍କ ପାଇଁ ଲକ୍‌ଡାଉନ୍ ସମୟରେ ରକ୍ତ ଭଣ୍ଡାରରୁ ରକ୍ତ ସଂଗ୍ରହ କରାଯାଇ ନପାରିବା ଦୁଃଖ ଓ ପରିତାପର ବିଷୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମୃତ୍ୟୁ ଘଟିଥିବା ଗରିବ ମହିଳା ଜଣକ ବିହାର ରାଜ୍ୟର । ତାଙ୍କର ୪ଟି ଛୋଟ ପିଲା ଅଛନ୍ତି । ସବୁଠୁ ସାନପିଲାର ବୟସ ମାତ୍ର ୮ରୁ ୯ ମାସ । ରକ୍ତ ଅଭାବରୁ ଏପରି ମୃତ୍ୟ ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ । ଗତ ମେ ୧ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଝାରସୁଗୁଡା ସିଡିଏମଓଙ୍କୁ ରକ୍ତ ଦାନ କ୍ୟାମ୍ପ କରାଯିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଝାରସୁଗୁଡା ସିଡିଏମଓଙ୍କ ଦୂରଦୃଷ୍ଟି ଅଭାବରୁ ଏପରି ଦୁଃଖଦ ଅଭାବନୀୟ ଘଟଣା ଘଟିଗଲା ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କହିଛନ୍ତି । ମୃତ୍ୟୁ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୁଦ୍ଧି ପସିଛି । ଝାରସୁଗୁଡା ଜିଲ୍ଲାରେ ପୁରୁଣା ଓ ନୂଆ ଜିଲ୍ଲା ଚିକିତ୍ସାଳୟରେ ରକ୍ତଭଣ୍ଡାର କାମ କରିବ କହି ଏପରି ଦୁଃଖଦାୟକ ମୃତ୍ୟୁରୁ ନଜର ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ଏହି ଘଟଣାର ଉପଯୁକ୍ତ ତଦନ୍ତ ହେଉ ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏପରି ଦୁଃଖଦାୟକ ଘଟଣା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜ ଉପରେ ନୈତିକ ଦାୟିତ୍ୱ ନିଅନ୍ତୁ ଓ ସର୍ବସାଧାରଣରରେ ଦୁଃଖପ୍ରକାଶ କରିବାକୁ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି । ସଂପୃକ୍ତ ମହିଳାଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ସହ ତାଙ୍କ ପିଲାମାନଙ୍କର ଯତ୍ନ ଓ ଭବିଷ୍ୟତରେ ପାଠପଢାର ଦାୟିତ୍ୱ ସରକାର ନେବାକୁ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି ।

            ଉଲ୍ଲେଖନୀୟ ଯେ ପୂର୍ବରୁ ମଧ୍ୟ ଝାରସୁଗୁଡାରେ ବିଜେପି ତରଫରୁ ପୁରୁଣା ହସ୍ପିଟାଲରୁ ନୂଆ ହସ୍ପିଟାଲକୁ ଦୂରତାକୁ ଦେଖି ୨୪ ଘଂଟିଆ ଆମ୍ବୁଲାନ୍ସ ସେବା ପାଇଁ ଜନଆନ୍ଦୋଳନ କରାଯାଇଥିଲା । ମାତ୍ର ସରକାର ଏ ପର୍ଯ୍ୟନ୍ତ ଦାବୀକୁ ପୂରଣ କଲେ ନାହିଁ । ତେଣୁ ପୁରୁଣା ହସ୍ପିଟାଲରୁ ନୂଆ ହସ୍ପିଟାଲ ପର୍ଯ୍ୟନ୍ତ ୨୪ ଘଂଟିଆ ଆମ୍ବୁଲାନ୍ସ ସୁବିଧା ଅବିଳମ୍ବେ କରାଯିବା ନେଇ ଶ୍ରୀ ତ୍ରିପାଠୀ ଦାବୀ କରିଛନ୍ତି ।  

Leave A Reply

Your email address will not be published.