ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଜି଼ଡିୟୁଜେ)ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନଦୁର୍ଗା ମନ୍ଦିର ପରିସରରେ ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଆଦର୍ଶ ଦାଶ ଗତ ଦୁଇ ବର୍ଷ ମଧ୍ୟରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।
ଜିଲ୍ଲାର ପ୍ରଥମ ଓ ଏକମାତ୍ର ସଂଘ ଭାବେ ଏହା ପଞ୍ଜିକୃତ କରାଯାଇପାରିଛି ବୋଲି କହିବା ସହ ସାମ୍ବାଦିକ ସଂଘ ନାମରେ କିଛି ଲୋକ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚାହୁଁଥିବା ବେଳେ ଜିଡିୟୁଜେ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ କରିଆସୁଛି। ଜିଲ୍ଲାର ସବୁଠାରୁ ବୃହତ୍ତମ ଓ କ୍ରିୟାଶୀଳ ସାମ୍ବାଦିକ ସଂଘ ଭାବେ ଜିଡିୟୁଜେ ନିଜକୁ ପ୍ରତିପାତିଦ କରିପାରିଛି । ତେଣୁ ରାଜ୍ୟର ସବୁଠାରୁ ବୃହତ୍ତମ ଓ କ୍ରିୟାଶୀଳ ସାମ୍ବାଦିକ ସଂଘ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସହ ନିଜକୁ ଅନୁବନ୍ଧିତ କରିପାରିଛି ବୋଲି ସେ କହିଥିଲେ। ସଂଘର ଆର୍ଥିକ ସ୍ଥିତି ନେଇ ମଧ୍ୟ ଆଲୋଚନା କରାଯିବା ସହ ସଂଘକୁ ଆର୍ଥିକ ସ୍ଥିତିରେ ମଜବୁତ କରିବା ପାଇଁ ସମସ୍ତ ସଦସ୍ୟ ଉଦ୍ୟମ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ ।
ଏହି ଅବସରରେ ମୋହନା ବ୍ଲକର ବହୁ ସଦସ୍ୟ ଜିଡିୟୁଜେର ସଦସ୍ୟତା ଗ୍ରହଣ କରିଥିଲେ । ସେହିପରି ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ସହରର କିଛି ସାମ୍ବାଦିକ ମଧ୍ୟ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ସେମାନଙ୍କୁ ସଂଘ ପକ୍ଷରୁ ସ୍ବାଗତ କରାଯିବା ସହ ଶୃଙ୍ଖଳିତ ଭାବେ ନିଜନିଜର ଦାୟିତ୍ବ ତୁଲାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ଅନେକ ସାମ୍ବାଦିକ ନିଜନିଜ ପ୍ରତିକ୍ରିୟା ପ୍ରକାଶ କରି କହିଥଛିଲେ ଯେ, ଆଗରୁ ଅନ୍ୟ ସଂଘ ସହ ସେମାନେ ସାମିଲ ଥିଲେ। କିନ୍ତୁ ସେଠାକାର କାର୍ଯ୍ୟଶୈଳୀ ସେମାନଙ୍କୁ କେବଳ ବ୍ୟବହାର ପାଇଁ ହିଁ ଉପଯୋଗୀ ଥିଲା। ତେଣୁ ସେହି ସଂଘକୁ ତ୍ୟାଗ କରି ଜିଡିୟୁଜେରେ ସାମିଲ ହୋଇଛନ୍ତି ବୋଲି କହିବା ସହ ଏହାର ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟଶୈଳୀ ସେମାନଙ୍କୁ ଏ ଭଳି କରିବା ପାଇଁ ପ୍ରେରିତ କରିଛି ବୋଲି କହିଥିଲେ।
ଏହାପରେ ସଂଘର ସମସ୍ତ ସଦସ୍ୟଙ୍କ ମତ ଅନୁସାରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ବଦଳରେ ଚୟନ ହୋଇଥିଲା। ସଂଘର ଉପଦେଷ୍ଟା କେ.ରାମସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଚୟନ ପ୍ରକ୍ରିୟାରେ ସଭାପତି ଭାବେ ବସନ୍ତ ପଣ୍ଡା , ସଂପାଦକ ଭାବେ ଆଦର୍ଶ ଦାଶ , ଉପସଭାପତି ଭାବେ ହରିହର ପଟ୍ଟନାୟକ ଓ ଲକ୍ଷ୍ମଣ ଚୌଧୁରୀ , ସହ ସଂପାଦକ ଭାବେ ଶ୍ରୀକାନ୍ତ ମହାରଣା , ସୁଜିତ ଦାଶ ଓ ଅଂଶୁମାନ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ଭାବେ ବାସୁଦେବ ଦାଶଙ୍କୁ ମନୋନୀତ କରାଯାଇଥିଲା। ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବାବୁଲା ସେଠୀ , ହରେକୃଷ୍ଣ ପଣ୍ଡା , ସୌମ୍ୟରଞ୍ଜନ ପଟ୍ଟନାୟକ , ସରୋଜ ପାତ୍ର , ରାଜେଶ ମିଶାଲ , ହୃଷିକେଶ ଦଳେଇ , ନାଗେଶ୍ବର ମହାପାତ୍ର , ଜିତେନ୍ଦ୍ର ବାରିକ , ବାଳକୃଷ୍ଣ ପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନୂତନ ଭାବେ ଦାୟିତ୍ବ ନେଇଥିବା କର୍ମକର୍ତ୍ତା ସଂଘର ସବୁ ଦିଗରୁ ଉନ୍ନତି ଏବଂ କ୍ରିୟାଶୀଳତା ଦିଗରେ ଧ୍ୟାନ ଦେଇ କାମ କରିବାକୁ ଓୟୁଜେର ରାଜ୍ୟ ସଂପାଦକ ତଥା ଜିଡିୟୁଜେର କାର୍ଯ୍ୟକାରୀ ସଭାପତି ରୂପେଶ ସାହୁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.