ଅସହାୟ ହାଡ଼ଙ୍କୁ ସାହାହେଲା ମାହେଶ୍ୱରୀ ସଂଗଠନ 

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରା ଗାଁର ଅସହାୟ ମହିଳା ହାଡ ସାହୁ। ମୂଲଲାଗି ପରିବାର ପରିପୋଷଣ କରନ୍ତି । କାମକୁ ନ ଗଲେ ତାଙ୍କ ଘରେ ଚୁଲି ଜଳେନି। ଏପରି ପରିସ୍ଥିତିରେ ଦିନେ ସେ କାମ କରୁଥିବା ବେଳେ ପଡି ଗଲେ। ଫଳରେ ତାଙ୍କ ବାମ ହାତର ହାଡ଼ ଭାଙ୍ଗିଯାଇଥିଲା। ହେଲେ ଅର୍ଥଭାବରୁ ସେ ନିଜ ଚିକିତ୍ସା କରାଇ ପାରୁ ନ ଥିଲେ। ତଥାପି ନିସ୍ତାର ନ ଥିଲା। ହାତ ଫୁଲି ଯାଇ ଯନ୍ତ୍ରଣା ହେଉଥିଲେ ମଧ୍ୟ ଘର ଚଳାଇବାକୁ ତାଙ୍କୁ କାମକୁ ଯିବାକୁ ପଡୁଥିଲା। ଏ କଥା ଜାଣିବା ପରେ ଲୋଇସିଂହାର ମାହେଶ୍ୱରୀ ସାମାଜିକ ସଙ୍ଗଠନ ସଦସ୍ୟମାନେ ତାଙ୍କ ଚିକିତ୍ସା କରାଇଛନ୍ତି । ବୁଧବାର ସଙ୍ଗଠନର ସଦସ୍ୟମାନେ ହାଡଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ।ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ହାତରେ ପ୍ଲାଷ୍ଟର କରାଇବା ସହ ଆବଶ୍ୟକ ଓଷଧ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି।

ହାଡଙ୍କ ଏକ ୮ ବର୍ଷର ଝିଅ ଅଛି। ବିବାହର କିଛି ବର୍ଷ ପରେ କୌଣସି କାରଣକୁ ନେଇ ହାଡ ବାପ ଘରକୁ ଚାଲି ଆସିଥିଲେ । ସେବେଠାରୁ ସେ ଆଉ ଶାଶୁ ଘରକୁ ଫେରି ନାହାନ୍ତି। ପୈତୃକ ଗ୍ରାମରେ ସେ ଆଶ୍ରୟ ନେଇଛନ୍ତି। ମା ବାପାଙ୍କ ଦେହାନ୍ତ ପରେ ହାଡ ନିଜ ଝିଅ ସହ ଦୁଃଖକଷ୍ଟରେ ଚଳୁଛନ୍ତି। ଅଦ୍ୟାବଧି ସରକାରଙ୍କ କୌଣସି ଯୋଜନାରେ ସେ ସାମିଲ ହୋଇ ପାରିନାହାନ୍ତି। ମୂଲଲାଗି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ତେଲଲୁଣ ସଂସାର ଚାଲେ। ଦୁଇସପ୍ତାହ ତଳେ କାମ କରିବାକୁ ଯାଇଥିବାବେଳେ ହଠାତ୍‌ ପଡିଯିବାରୁ ତାଙ୍କ ହାଡ ଭାଙ୍ଗି ଯାଇଥିଲା। ହେଲେ ଟଙ୍କା ଅଭାବରୁ ଚିକିତ୍ସା କରାଇ ପାରୁ ନ ଥିଲେ।

ପନେସରା ଗାଁରେ ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ବେଳେ ଲୋଇସିଂହା ମାହେଶ୍ୱରୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସେ ନିଜ ଦୁଃଖ ଜଣାଇଥିଲେ। ବୁଧବାର ସଙ୍ଗଠନ ପକ୍ଷରୁ ଦେବାଶିଷ ବିଷୋୟୀ, ସମୀର ବିଶ୍ୱା ଓ ମନୋଜ ଧରୁଆ ପ୍ରମୁଖ ହାଡଙ୍କୁଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଏକ୍ସରେ ପରେ ତାଙ୍କ ହାତର ହାଡ ଭାଙ୍ଗିଥିବା ଜଣାପଡିଥିଲା। ହାଡଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହ ରେଡକ୍ରସରୁ ସହାୟତା ଯୋଗାଇ ଦେବାକୁ ମାହେଶ୍ୱରୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

 

Leave A Reply

Your email address will not be published.