ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ-୨୦୨୬ରେ ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ନିଜର ଉଚ୍ଚକୋଟୀର ଅଭିନୟ ଓ ସାମାଜିକ ସଚେତନତାମୂଳକ ନୁକ୍କଡ଼ ନାଟକ ପରିବେଷଣ କରି ଦ୍ୱିତୀୟ ପୁରସ୍କାର ଅର୍ଥରାଶି (୭,୫୦୦) ସହ ମାନପତ୍ର ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ନଭେମ୍ବର ୧୧ ଓ ୧୨ ତାରିଖରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଆୟୋଜିତ ହୋଇଥିଲା। ଏହି ମହୋତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କଳା , ସାହିତ୍ୟ ଓ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିଥିଲେ।

ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ନୁକ୍କଡ଼ ନାଟକ ମାଧ୍ୟମରେ ନିଶା ସେବନର କୁପରିଣାମ , ପରିବାର ଓ ସମାଜ ଉପରେ ଏହାର ନକାରାତ୍ମକ ପ୍ରଭାବ ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହିବାର ବାର୍ତ୍ତା ଦେଇଥିଲେ। ସେମାନଙ୍କର ଚମତ୍କାର ଅଭିନୟ , ସଂଳାପ ଓ ସାମାଜିକ ବାର୍ତ୍ତା ଦର୍ଶକଙ୍କ ମନକୁ ଛୁଇଁବା ସହିତ ବିଚାରକମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା।
ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟକ୍ଷା, ଡ. ରୀନା ସାହୁ ପ୍ରୋତ୍ସାହନ ଏବଂ ଅଧ୍ୟାପିକା , ଯଶସ୍ୱିନୀ ମହାନ୍ତିଙ୍କ ନିଷ୍ଠାପର ମାର୍ଗଦର୍ଶନ ଓ ଅକ୍ଲାନ୍ତ ପରିଶ୍ରମ ରହିଛି। ସେ ଛାତ୍ରୀମାନଙ୍କୁ ନାଟକର ପ୍ରତ୍ୟେକ ଦିଗରେ ଉପଯୁକ୍ତ ଭାବେ ତାଲିମ ଦେବା ସହ ସଂଳାପ ଉଚ୍ଚାରଣ , ଅଭିନୟ , ଅଙ୍ଗଭଙ୍ଗୀ ଓ ମଞ୍ଚ ପରିବେଷଣ ସମ୍ପର୍କରେ ଯତ୍ନର ସହ ଶିକ୍ଷା ଦେଇଥିଲେ।
ଅଧ୍ୟାପକ-ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଛାତ୍ରୀମାନଙ୍କ ଏହି ସଫଳତାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ଆହୁରି ଉନ୍ନତି କାମନା କରିଛନ୍ତି। କଳା ମାଧ୍ୟମରେ ସମାଜକୁ ସଚେତନ କରିବା ସହ ନିଶାମୁକ୍ତ ଭାରତ ଗଠନର ବାର୍ତ୍ତା ପହଞ୍ଚାଇବା ହିଁ ଏହି ନାଟକର ମୁଖ୍ୟ ସଫଳତା।