ବାଲୁଗାଁ:(ସେକ୍ କୌସର):ପ୍ରାଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଉତ୍କଳୀୟ ଅସ୍ମିତା ତଥା ସଂସ୍କୃତିର ବାର୍ତ୍ତାବହ ଭାବେ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ତଟରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଆୟୋଜିତ ହୋଇ ଆସୁଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବର ପ୍ରସ୍ତୁତି ବୈଠକ ଆଜି ବାଲୁଗାଁ ଏନଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଚିଲିକା ବୋଇତ ବନ୍ଦାଣ ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ବାଲୁଗାଁ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବାଲୁଗାଁ ଏନଏସି କାର୍ଯ୍ୟକାରୀ ଅଧିକାରୀ ପ୍ରାଣନାଥ ସେଠ, ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ଉମାମହେଶ୍ୱର ବଣିକ ସଙ୍ଘ ସଭାପତି ରବିନାରାୟଣ ନାୟକ, ମତ୍ସ୍ୟ ବ୍ୟବସାୟୀ ସଙ୍ଘ ସଭାପତି ସନ୍ୟାସୀ ବଳବନ୍ତରାୟ, କାଳିଜାଇ ମୋଟର ବୋଟ ଆସୋସିଏସନ ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା,ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ବାଲୁଗାଁ କଲେଜ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପ୍ରଶାନ୍ତ ବେହେରା, ସମାଜସେବୀ ସନ୍ତୋଷ କୁମାର ପାଇକରାୟ, ବିଜୟ ପ୍ରଧାନ, ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଚଳିତ ନଭେମ୍ବର 23 ରୁ ବାଲୁଗାଁ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୋଇତ ବନ୍ଦାଣ ମହୋତ୍ସବର ଯୋଜନା, ଶୃଙ୍ଖଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଉଦଘାଟନ ଓ ଉଦଯାପନୀ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ବାଲୁଗାଁ ଏନଏସିର ସମସ୍ତ କାଉନସିଲର, ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିନିଧି, ବିଭିନ୍ନ ସଂଘର କର୍ମକର୍ତ୍ତା, ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି, ବିଭିନ୍ନ କ୍ଲବର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାଂସ୍କୃତିକ ଅନୁଷ୍ଠାନ ଓ ସରକାରୀ ଅନୁଷ୍ଠାନର ପ୍ରତିନିଧି ଯୋଗଦେଇ ମହୋତ୍ସବର ସଫଳତା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ l ଏହି ପାରମ୍ପରିକ ମହୋତ୍ସବ ଓଡ଼ିଶାର ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉତ୍ସବକୁ ଚଳିତ ବର୍ଷ ଏହାକୁ ତିନିଦିନ ଧରି ଆୟୋଜନ କରିବା ପାଇଁ ମତାମତ ପ୍ରକାଶ ପାଇଥିଲା l