ପାଟଣାଗଡ ବ୍ରିଜ ଭୁଶୁଡିବା ଘଟଣା: ତଦନ୍ତ ସାରି ଫେରିଲେ ଦୁଇ ମୁଖ୍ୟଯନ୍ତ୍ରୀ

0

ପାଟଣାଗଡ଼/ ବିମଲ ଯାଦବ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ର ତମିଆଁ- ମୁଦଲସର ସୁକ‌ତେଲ୍‌ ସେତୁ ଭୁଶୁଡ଼ି ପଡ଼ିବା ଘଟଣାର ତଦନ୍ତ ସାରି ଫେରିଛନ୍ତି ତଦନ୍ତକାରୀ ଦଳ। ଆଜି ଦୁଇଜଣ ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତୀ, ହେମନ୍ତ କୁମାର ଦତ୍ତ, ଅଧୀକ୍ଷଣ ଯନ୍ତ୍ରୀ କାଳି ପ୍ରସାଦ ମହାକୁଡ଼ ଓ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଏ କେ ଆଣ୍ଟୋନୀ ପ୍ରମୁଖ ପହଞ୍ଚି ତଦନ୍ତ ସାରି ଫେରିଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା,ସେ ନେଇ ତଦନ୍ତ ନିର୍ଦେଶ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ, ବିଭାଗର ଦୁଇଜଣ ମୁଖ୍ୟଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ଆସନ୍ତାକାଲି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ଦୋଷୀକୁ ଛଡ଼ାଯିବ ନାହିଁ। 

ଶ୍ରୀ ଜେନା କହିଥିଲେ ଯେ ସେତୁର ଏହି ଅଂଶ ଦୁର୍ବଳ ଥିବା ଜଣାପଡ଼ିଥିଲା। ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ କୁହାଯାଇଥିଲା। ସେ ରିପୋର୍ଟ ଦେଇଥିଲେ ଯେ ଏହି ଅଂଶକୁ ଭାଙ୍ଗିବାକୁ ପଡ଼ିବ, କାରଣ ଏହା ନିମ୍ନମାନର। ସଂପୃକ୍ତ ଠିକାଦାର ନିଜ ଖର୍ଚ୍ଚରେ ଏହାର ପୁନଃ ନିର୍ମାଣ କରିବାକୁ ରାଜି ହୋଇଥିଲେ। ହେଲେ ଭାଙ୍ଗିବା ବେଳେ ସମ୍ଭବତଃ ଆବଶ୍ୟକ ପଦକ୍ଷେପ ନ ନେଇଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ରିପୋର୍ଟକୁ ସରକାର ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.