ବାଲେଶ୍ୱର(ଉଜ୍ଜ୍ୱଳ କର) : ବାଲେଶ୍ୱରରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ପରିଲକ୍ଷିତ ହୋଇଥିବା ବେଳେ ସ୍ଥିତି ପରଖିବା ପାଇଁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ସଦର ମହକୁମାରେ ପହଞ୍ଚିଛନ୍ତି । ପଶ୍ଚିମବଙ୍ଗ ଲିଙ୍କ୍ ଯୋଗୁଁ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି କ୍ରମଶଃ ସଙ୍ଗୀନ ହେବାକୁ ଯାଉଥିବା ବେଳେ ଅନୁପ୍ରବେଶ ରୋକିବାକୁ ରାଜ୍ୟର ଉଚ୍ଚପଦସ୍ଥ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସମୀକ୍ଷା ଆରମ୍ଭ କରିଛନ୍ତି । ସେହିକ୍ରମରେ ଆଜି ପୂର୍ବାହ୍ନରେ ବାଲେଶ୍ୱର ପହଞ୍ଚିଥିଲେ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ । ତାଙ୍କ ସହ ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ବାଲେଶ୍ୱର ଆସି ସ୍ଥିତି ସମୀକ୍ଷା କରିଥିଲେ । ସେମାନେ ହେଲିକେପ୍ଟରେ ଆସି ରିଜର୍ଭ ପୁଲିସ ପଡ଼ିଆରେ ଓହ୍ଲାଇବା ପରେ ପ୍ରଥମେ ପୁଲିସ ବ୍ୟାରେକ୍ ପରିଦର୍ଶନ କରିଥିଲେ । ସେଠାରୁ ଫେରି ଶ୍ରୀ ଅଭୟ ଟ୍ରାଫିକ୍ ଥାନା ପରିସରରେ ଥିବା କୋଭିଡ୍-୧୯ କଂଟ୍ରୋଲ ରୁମକୁ ଯାଇଥିଲେ । କଂଟ୍ରୋଲ ରୁମରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା ହେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଡିଜିପି ଶ୍ରୀ ଅଭୟ ଆଦର୍ଶ ସହଦେବଖୁଣ୍ଟା ଥାନା ପରିଦର୍ଶନ ସହ ସେଠାରେ ଜିଲ୍ଲାର କରୋନା ଓ ଲକ୍ ଡାଉନ ସ୍ଥିତି ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଗତକାଲିଠାରୁ ବାଲେଶ୍ୱରରେ ସ୍ଥିତି ପରଖୁଥିବା କେନ୍ଦ୍ରାଞ୍ଚଳ ଆରଡିସି ଇଂ ଅନୀଲ କୁମାର ସାମଲଙ୍କ ସମେତ ଏଡିଜିପି ଶ୍ରୀ ପ୍ରିୟଦର୍ଶୀ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଲ କିଶୋର କୁମାର ପ୍ରମୁଖ ଯୋଗଦେଇ ଜିଲ୍ଲାର କରୋନା ସଂକ୍ରମଣର ସ୍ଥିତି ଓ ଜାରି ହୋଇଥିବା ଲକ୍ ଡାଉନ୍ ଏବଂ ସଟ ଡାଉନ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜାରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପରିଚାଳନାରେ ଜିଲ୍ଲା ପୁଲିସର କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି ଡିଜିପି ଶ୍ରୀ ଅଭୟ କହିଥିଲେ । ବିଶେଷ କରି ଖରାତରାରେ ପୁଲିସ କର୍ମଚାରୀଙ୍କ ଆନ୍ତରିକତା ପୂର୍ଣ୍ଣ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ଜନସାଧାରଣଙ୍କୁ ସଚେତନ କରିବାରେ ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଳେ । ସର୍ବୋପରି ଜିଲ୍ଲାବାସୀଙ୍କ ସହଯୋଗ ଲକ୍ ଡାଉନକୁ ସଫଳ କରିବା ସହିତ ସାମାଜିକ ଦୂରତା ରକ୍ଷା ଯୋଗୁଁ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି ବୋଲି ଡିଜିପ ଶ୍ରୀ ଅଭୟ କହିଥିଲେ । ଏନେଇ ସମସ୍ତଙ୍କୁ ସେ ଧନ୍ୟବାଦ ପ୍ରଦାନ କରିଥିଲେ । ସହଦେବଖୁଣ୍ଟା ଥାନାର ବୈଠକ ପରେ ଶ୍ରୀ ଅଭୟ ଟାଉନଥାନା ପରିଦର୍ଶନ କରିଥିଲେ । ପରେ ସେ ଲକ୍ଷ୍ମଣନାଥ ଟୋଲପ୍ଲାଜା ପରିଦର୍ଶନ ପାଇଁ ଯାଇଥିଲେ । ପଶ୍ଚିମବଙ୍ଗ ଲିଙ୍କ୍ ଯୋଗୁଁ ଉତ୍ତର ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସୀମା ସିଲ ସାଙ୍ଗକୁ କଡ଼ାକଡ଼ି ଯାଞ୍ଚ ପାଇଁ ସେଠାକାର ପୁଲିସ ଓ କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଥିଲେ । ବିଶେଷ କରି ପଶ୍ଚିମବଙ୍ଗରୁ ଅତ୍ୟାବଶ୍ୟକ ସାମଗୀ ନେଇ ଆସୁଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ିକୁ ବାଲେଶ୍ୱର ମଧ୍ୟକୁ ପ୍ରବେଶ କରାଇ ନ ଦେବାକ ସେ କହିଥିଲେ । ପ୍ରତ୍ୟେକ ଗାଡ଼ିକୁ କଡ଼ାକଡ଼ି ଯାଞ୍ଚ ପାଇଁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post