ବଲାଙ୍ଗୀର (ନିରୋଜ ମିଶ୍ର) : କରୋନା ଭୟରେ ଶ୍ରମିକମାନେ ବାହାର ରାଜ୍ୟରୁ ଗାଁକୁ ଫେରିଛନ୍ତି । କେମିତି କରୋନାକୁ ଦାଦନପ୍ରବଣ ଗାଁ ଗୁଡ଼ିକରେ ମୁକାବିଲା କରାଯିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି । ଦାଦନପ୍ରବଣ ଜଲିଆ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଜଲିଆ ଗାଁର ଲୋକଙ୍କ ଉଦ୍ୟମକୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଲକଡାଉନ ନିୟମକୁ ଅଭିନବ ଢଙ୍ଗରେ ପାଳନ କରି ସେମାନେ ନିଜ ଗାଁକୁ ସୁରକ୍ଷିତ ରଖିବାକୁ ଶପଥ ନେଇଛନ୍ତି । ଗାଁର ଦୁଇପଟ ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶରେ ଚେକ୍ ଗେଟ୍ । ଏହି ଦୁଇଟି ଗେଟ୍ ନିକଟରେ ଗାଁରୁ ଦୁଇ ଜଣ ଲେଖାଏଁ ଲୋକ ପାଳି କରି ଜଗି ବସୁଛନ୍ତି । ଗାଁର କାହାରି ଜରୁରୀ କାମ ଥିଲେ ବାହାରକୁ ଯିବେ ଓ ଆସିବେ ।ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକ ଗାଁକୁ ଆସିଲେ ସରକାରଙ୍କ ଗାଇଡ୍ଲାଇନ ଅନୁସାରେ ପଞ୍ଚାୟତରେ ପଞ୍ଜୀକରଣ କରାଇବା ବାଧ୍ୟ । ଏହାପରେ ଏମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବାକୁ ଗାଁ ଲୋକେ ନେଉଛନ୍ତି ଦାୟିତ୍ବ । ଗାଁକୁ ବାହାର ଗାଁର ଲୋକ ପ୍ରବଶ କରିବାକୁ ଚାହିଁଲେ, ଯଥେଷ୍ଟ ଜରୁରୀ ନଥିଲେ ପ୍ରବେଶ ମନା । ଠିକ୍ ସେପରି ଜରୁରୀ କାମ ନଥାଇ ଗାଁ ବାହାରକୁ ବାହାରିଲେ ଲୋକଙ୍କୁ ବାହାରକୁ ଛଡା ଯାଉନି । ଯିଏ ଆସିଲେ କିମ୍ବା ଗାଁରୁ ବାହାରକୁ ଗଲେ ଚେକ୍ଗେଟ୍ରେ ସାବୁନ ଓ ପାଣିରେ ହାତ ଧୋଇବା ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି । ଜଲିଆରୁ ପ୍ରତିବର୍ଷ ଅନେକ ଦାଦନ ପରିବାର ରାଜ୍ୟ ବାହାରକୁ ଯାଇଥାନ୍ତି। ଏଥର ବି କିଛି ପରିବାର ଯାଇଛନ୍ତି। ସେମାନେ ଯଦି ବି ଫେରିବେ ସରକାରୀ ନିୟମ ପାଳନ କରିବେ। ୧୪ ଦିନ ଯାଏ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ଯାହା ନିର୍ଦ୍ଧେଶ ଦେବ ତାହା ସେମାନେ ମାନିବାକୁ ବାଧ୍ୟ ।ସେଥିପାଇଁ ପଞ୍ଚାୟତରେ କରାଯାଉଥିବା ନାମ ପଞ୍ଜୀକରଣ ବି କରାଇବେ। ଏହାସହ ଗାଁରେ ଯାନିଯାତ୍ରା ସବୁକୁ ବନ୍ଦ ରଖାଯାଇଛି। ବିବାହ, ଶ୍ରାଦ୍ଧ ଘର ଆଦି ଜରୁରୀ କ୍ଷେତ୍ରରେ କମ୍ ସଂଖ୍ୟକ ଲୋକଙ୍କୁ ଯୋଗଦେବାକୁ ଗାଁ କମିଟିର ଅନୁମତି ଆବଶ୍ୟକ କରାଯାଇଛି । ଗାଁ କମିଟିର ସୁପାରିଶ ପରେ ସେମାନେ ପ୍ରଶାସନଠାରୁ ଅନୁମତି ଆଣି ତାହା କରିପାରିବେ। ଏହାଦ୍ୱାରା ସମସ୍ତ ଗ୍ରାମବାସୀ କରୋନାକୁ ନିଶ୍ଚିତ ଭାବରେ ମୁକାବିଲା କରିପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.