୩ ହଜାର ଟଙ୍କା ଲାଞ୍ଚ ମାମଲା, ଅଭିଯୁକ୍ତ ଜିଆରଏସଙ୍କୁ ଜେଲ ଓ ଜୋରିମାନା

0

 

ବାରିପଦା( ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଆଜି ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ବହଳଦା ବ୍ଲକର ଗଡ଼ିଘାଟି ଗ୍ରାମପଞ୍ଚାୟତର ଜିଆରଏସ ତଥା ତିରିଂ ଥାନା ମହୁଲଡ଼ୁମା ଗ୍ରାମର ମନୋରଞ୍ଜନ ମହାନ୍ତ(୩୩)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଏକ ବର୍ଷ ଜେଲ, ୫ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୨ ମାସ କାରାଦଣ୍ଡରେ ଦଣ୍ଡିତ କାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗଡ଼ିଘାଟି ଗ୍ରାମପଞ୍ଚାୟତ ରାସ୍ତାକାମ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଆସିଥିବା ଅର୍ଥରେ ନିର୍ମାଣ ହେଉଥିଲା । ତିରିଂ ଥାନା ଅନ୍ତର୍ଗତ ଗୟଳକଟା ଗ୍ରାମର ରମେଶ କିସ୍କୁ  ଉକ୍ତ ରାସ୍ତାର ନିର୍ମାଣ ବାବଦରେ ପ୍ରାୟ ୫୦/୬୦ ହଜାର ଟଙ୍କାର ବିଲ ପାଇବାର ରହିଥିଲା ଏବଂ ଏଥି ନିମନ୍ତେ ମାଷ୍ଟର ରୋଲ ଦସ୍ତଖତ କରିବା ପାଇଁ ଜିଆରଏସ ମନୋରଞ୍ଜନ ମହାନ୍ତଙ୍କୁ କହିଥିଲେ । ମନୋରଞ୍ଜନ ଏଥି ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ରମେଶ କିସ୍କୁ ଭିଜିଲାନ୍ସ ସହିତ ଯୋଗାଯୋଗ କରି ୨୦୧୪ ମାର୍ଚ୍ଚ ୨୦ରେ ଜିଆରଏସ ମନୋରଞ୍ଜନଙ୍କୁ ୩ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ମନୋରଞ୍ଜନ ଉପରକୁ କାବୁ କରି ମନୋରଞ୍ଜନ ନିିକଟରୁ ଭିଜିଲାନ୍ସର ରଙ୍ଗ ବୋଳା ୩ ହଜାର ଟଙ୍କାକୁ ଜବତ କରିଥିଲେ । ଏହାକୁ ନେଇ ଭିଜିଲାନ୍ସରେ ୧୯.୦୩.୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.