ବିଜୁ ଯୁବ ବାହିନୀ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୪୫୦. ୪୯ କୋଟି

0

 

 ୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହେଲେଣି

ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି 

ଭୁବନେଶ୍ୱର(ମାନସୀ  ମିଶ୍ର) : ପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ଓଡ଼ିଶାରେ ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ୩ ବର୍ଷରେ ରାଜ୍ୟ ସରକାର ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି । ଏଯାବତ୍ ବିଜୁ ଯୁବ ବାହିନୀରେ ପ୍ରାୟ ୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହେଲେଣି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । 

ବିଜୁ ଯୁବ ବାହିନୀ ଆମ ରାଜ୍ୟରେ କେବେଠୁ ଗଠିତ ହୋଇଛି, ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା କରାଯାଇଛି, ଏହି ବାହିନୀର କାମ କ’ଣ, ଏଥିରେ କେଉଁମାନେ ଯୋଗ ଦେଇପାରିବେ ଏବଂ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବକମାନଙ୍କୁ କି ପ୍ରକାରର ଭତ୍ତା ଓ ପ୍ରୋତ୍ସାହନ ଦିଆଯାଉଛି ସେ ବିଷୟରେ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ । 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଜୁ ଯୁବ ବାହିନୀ ଏକ ସୁଦୂର ପ୍ରସାରୀ ଯେଉଁଥିରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ବୃଦ୍ଧି ସହିତ ସର୍ବସାଧାରଣଙ୍କ ହିତ ସାଧନ ନିମନ୍ତେ ଆବଶ୍ୟକୀୟ ନାଗରିକ ପ୍ରକ୍ରିୟା, ଗୋଷ୍ଠୀ ସେବା, ସ୍ୱେଚ୍ଛାସେବୀପଣ, ନେତୃତ୍ୱ ଇତ୍ୟାଦିର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ପ୍ରଣୟନ କରାଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ଓ ସହରାଞ୍ଚଳରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ସମାଜସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରାଯିବ । ସେମାନଙ୍କ ମଧ୍ୟରେ କ୍ରୀଡ଼ା, କଳା ଆଦି ପ୍ରତିଭାର ବିକାଶ କରାଯିବ । ଏହିସବୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ । 

ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ୧୫ରୁ ୩୫ ବର୍ଷର ଯୁବକ ଯୁବତୀମାନଙ୍କୁ ସାମିଲ କରାଯାଉଛି । ପ୍ରତି ବାହିନୀରେ ମୋଟ୍ ସଦସ୍ୟଙ୍କର ଏକ ତୃତୀୟାଂଶ ମହିଳା ରହିବେ । ଏଥିରେ ସାମିଲ ହେବା ଲାଗି ଗତ ନଭେମ୍ବର ୨୩ ତାରିଖରେ ଅନଲାଇନରେ  ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଚଳିତ ଏପ୍ରିଲ୍ ୫ ତାରିଖ ସୁଦ୍ଧା ମୋଟ୍ ୨,୯୧,୭୪୬ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ପଞ୍ଜିକୃତ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫,୨୫୭, ବାଲେଶ୍ୱରରେ ୨୪,୨୩୮ ଓ କଟକରେ ୨୪,୨୫୮ ଜଣ ଯୁବକ ଯୁବତୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ  ଜିଲ୍ଲାରେ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀ ପଞ୍ଜିକୃତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହାର ସଂଖ୍ୟା ୧୦ ହଜାରରୁ କମ୍ କରି ରହିଛି । 

Leave A Reply

Your email address will not be published.