ଦଳମତ ନିର୍ବିଶେଷରେ ପୁଣି ଏକ ଗଣ ଆନ୍ଦୋଳନ ପାଇଁ ସାଂସଦଙ୍କ ଆହ୍ୱାନ
ବାଲେଶ୍ୱର(ଉଜ୍ଜ୍ୱଳ କର) ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଆନ୍ଦୋଳନ ପରେ ଅନୁମୋଦନ ପ୍ରାପ୍ତ ତଥା ନିର୍ମାଣ ଶେଷ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମକୁ ନେଇ ଏବେ ଅନିଶ୍ଚିତତା ଦେଖାଯାଇଛି । ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ) ଟିମର ନିର୍ଦ୍ଦେଶ କ୍ରମେ କଲେଜର ନିର୍ମାଣ ଓ ଆନୁସଙ୍ଗିକ ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅବହେଳା ଚଳିତବର୍ଷ ଶିକ୍ଷାରମ୍ଭରେ ଅନ୍ତରାୟ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜେନା ମେଡିକାଲ କଲେଜ୍ କାର୍ଯ୍ୟକ୍ଷମରେ କେନ୍ଦ୍ର ସରକାର ତଥା ଏମସିଆଇର ମନ୍ଥର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୪ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ଏହି କଲେଜ ନିର୍ମାଣ ଓ ଆନୁସଙ୍ଗିକ କାର୍ଯ୍ୟ ଗତ ଡିସେମ୍ବର ମାସ ସୁଦ୍ଧା ଶେଷ ହେବା ସହ ବିଭାଗୀୟ ପଦସ୍ଥ ଅଧିକାରୀ, ଶତାଧିକ ଡାକ୍ତର, ନର୍ସ ଓ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇ ସାରିଲେଣି । ଏମସିଆଇ ଟିମର ଶେଷ ପରିଦର୍ଶନ ଓ ଯାଞ୍ଚ ପରେ ଚଳିତ ମାସଠାରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ବିଧିବଦ୍ଧ କାର୍ଯ୍ୟ ଆଗେଇବା କଥା । ଗତ ମାର୍ଚ୍ଚମାସ ସଂସଦ ଅଧିବେଶନ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏନେଇ ସେ ଆଲୋଚନା କରିଥିବା ସାଂସଦ ଶ୍ରୀ ଜେନା କହିଛନ୍ତି । ମାତ୍ର କେନ୍ଦ୍ର ସରକାର ତଥା ଏମସିଆଇର ନିରବତା ଚଳିତବର୍ଷ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏମସିଆଇ ନିର୍ଦ୍ଦେଶିତ ମାପଦଣ୍ଡ ୫୦ ପ୍ରତିଶତ ପୂରଣ ନକରି ଦେଶର ବିଭିନ୍ନ ଘରୋଇ ମେଡିକାଲ କଲେଜକୁ ଅନୁମତିପତ୍ର ମିଳୁଥିବା ବେଳେ ଶତପ୍ରତିଶତ କାର୍ଯ୍ୟ ପରେ ବି ବାଲେଶ୍ୱର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମରେ ବିଳମ୍ବ ବାସ୍ତବିକ୍ କେନ୍ଦ୍ର ସରକାରଙ୍କ ଅବହେଳୋକୁ ପଦାରେ ପକାଇଛି ବୋଲି ଶ୍ରୀ ଜେନା ଆରୋପ କରିଛନ୍ତି । ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି ଏକ ଗଣଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଜିଲ୍ଲାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳମତ ନିର୍ବିଶେଷରେ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ନେଇ ସବୁ ମହଲରୁ ଉଦ୍ୟମ ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି ।