ଓଡିଶା ମୋ ପରିବାର ସହାୟତାରେ ପଞ୍ଜାବରୁ ଫେରିଲେ ୬୯ ଛାତ୍ରଛାତ୍ରୀ

0 2

ବିଧାୟକ ସଂଜୀବ ମଲ୍ଲିକଙ୍କ ସମୟୋପଯୋଗୀ ଅନୁରୋଧ ଓ ସିଏମଓର ତତ୍ପରତା ଯୋଗୁ ହେଲା ସମ୍ଭବ 

ଭୁବନେଶ୍ୱର : କରୋନା ଯୋଗୁଁ ପଞ୍ଜାବର ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀମାନେ “ଓଡିଶା ମୋ ପରିବାର” ସହାୟତାରେ ସୁରୁଖୁରୁରେ ଓଡିଶା ଫେରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ନିର୍ବାଚନମଣ୍ଡଳୀର ୫ଜଣ ଛାତ୍ରଙ୍କ ସହିତ ଓଡିଶାର ମୋଟ୍‍ ୧୪୦ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡିଶା ମୋ ପରିବାରର ଆବାହକ ଅରୂପ ଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହିତ ସେମାନଙ୍କୁ ଫେରାଇ ଆଣିବାପାଇଁ ଅନୁରୋଧ କରିଥିଲେ । ଏହା ଜଣାପଡିବା ପରେ ତୁରନ୍ତ ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ନୂଆଦିଲ୍ଲୀ ଠାରେ ଥିବା ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତଙ୍କୁ ଏ ଦିଗରେ ପଦକ୍ଷେପ ନେବାପାଇଁ କୁହାଯିବା ପରେ ସେ ତୁରନ୍ତ ରେଳବାଇ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରିବାପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ କହିଥିଲେ । 

ଓଡିଶା ଫେରିବାପାଇଁ ୩୫ଜଣ ଛାତ୍ରୀଙ୍କ ସହିତ ମୋଟ୍‍ ୬୯ଜଣଙ୍କ ଲାଗି ମାର୍ଚ୍ଚ ୧୭ ତାରିଖ ଦିନ ଭଟିଣ୍ଡାରୁ ନୂଆଦିଲ୍ଲୀ ରେଳଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍‍ ବ୍ୟବସ୍ଥା ହୋଇଥିଲା । ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତ ନିଜେ ବ୍ୟକ୍ତଗତ ଭବେ ନୂଆଦିଲ୍ଲୀ ରେଳଷ୍ଟେସନରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଆସିବାକୁ ଥିବା ବଗିକୁ ସାନିଟାଇଜ କରାଇଥିଲେ । ଛାତ୍ରଛାତ୍ରୀମାନେ ପୁରୁଷୋତ୍ତମ ଏକ୍ସପ୍ରେସର ଉକ୍ତ ବଗିରେ ଆସି ଆଜି ସକାଳ ୪ଟା ୨୦ରେ ଭୁବନେଶ୍ୱର ରେଳଷ୍ଟେସନ ଠାରେ ପହଞ୍ଚିବାପରେ ଓଡିଶା ମୋ ପରିବାରର ଆବାହକ ଶ୍ରୀ ପଟ୍ଟନାୟକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ସ୍ୱାଗତ କରିଥିଲେ ।

ପରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ପାନ୍ଥନିବାସକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ପଲିଟିକାଲ ସେକ୍ରେଟାରୀ ଡକ୍ଟର ଗୋପବନ୍ଧୁ ଦାସ ଓ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପାନ୍ଥନିବାସ ଠାରେ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବା ପରେ ଓଡିଶା ମୋ ପରିବାର ତରଫରୁ ସେମାନଙ୍କ ସହିତ କରୋନା ସଚେତନତା ନେଇ ଆଲୋଚନା କରାଯିବା ସହିତ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି ।

 

Leave A Reply

Your email address will not be published.