ଆଗକୁ ବଳାଙ୍ଗୀ ମହୋତ୍ସବ : ଆରମ୍ଭ ହେଲା ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ଜିଲ୍ଲା ପରିକ୍ରମା
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଆଦିର ଏନ୍ତୁଡ଼ିଶାଳ । ବହୁ ପ୍ରତିଷ୍ଠିତ କଳାକାର, ଗୀତିକାର ଆଦି ଏହି ଜିଲ୍ଲାରୁ ଜନ୍ମ ନେଇଥିବା ବେଳେ ଅନେକ କଳା ଓ ସଂସ୍କୃତି ବିଲୁପ୍ତ ପ୍ରାୟ ହେବାକୁ ବସିଛି । ଏହାର ସୁରକ୍ଷା ସହ ବିଲୁପ୍ତ ପ୍ରାୟ କଳା ଓ ସଂସ୍କୃତିର ପୁନରୁତ୍ଥାନ ନିମନ୍ତେ ବାରିପଦା ସହର ଉପକଣ୍ଠ ବୁଢ଼ାରାଉଳ ମଠ ନିକଟ ଚିପଟ, ଇଟାଯୋଡି ଓ ବୁଢ଼ାବଳଙ୍ଗ ନଦୀର ସଙ୍ଗମ ସ୍ଥଳ ବାଲୁକା ଶଯ୍ୟାରେ ୨୦୦୩ରୁ ବଲାଙ୍ଗୀ ମହୋତ୍ସବ ଆରମ୍ଭ ହୋଇଛି । ଏଥିସହିତ ଆଜକୁ ୪ ବର୍ଷ ହେବ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଓ ସାଂସ୍କୃତିକ ଜାଗରଣ ସୈନିକମାନଙ୍କ ସହ ଜିଲ୍ଲାର କେତେକ ବୁଦ୍ଧିଜୀବୀମାନଙ୍କ ସହାୟତାରେ ଏକ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ଜିଲ୍ଲାର ବାମାନଘାଟୀ, ପାଞ୍ଚପୀଢ, କପ୍ତିପଦା ଓ ଜିଲ୍ଲାର ସଦର ମହକୁମା ବାରିପଦାର ବିଭିନ୍ନ ଅଂଚଳରେ ପରିକ୍ରମା କରି ଆସୁଛି । ଏପ୍ରିଲ ୧୩ରୁ ୧୭ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଆରମ୍ଭ ହେବାକୁ ଯାଉଥିବା ବଲାଙ୍ଗୀ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ଏକ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥ ଜିଲ୍ଲା ପରିକ୍ରମା ନିମନ୍ତେ ବାହାରି ଥିବା ସମୟରେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମେ ମଧୁବନସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସମାଧି ପୀଠ ନିକଟରୁ ଶ୍ରୀରାମଜ୍ୟୋତି ମଶାଲ ଶୋଭାଯାତ୍ରା ବାହାରି ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ବିଜେ ବାରିପଦାଙ୍କ ମନ୍ଦିର ବେଢାରେ ପହଞ୍ଚିବା ପରେ ରଥ ଜିଲ୍ଲା ପରିକ୍ରମାରେ ବାହାରି ଥିଲା ।
ଏହି ସମୟରେ ବଲାଙ୍ଗୀ କମିଟିର ସଙ୍ଗଠନ ସମ୍ପାଦକ ଦୀପକ କୁମାର ନାୟକ, ସମାଜସେବୀ ପୂର୍ଣଚନ୍ଦ୍ର ବୁଗୁଡ଼େଇ, ବରିଷ୍ଠ ସାମ୍ବାଦିକ ବିଜୟ ଅଗ୍ରୱାଲା, ଡକ୍ଟର ଶଶୀଧର ବିଶ୍ୱାଳ, ଡ଼ଃ ଅସୀମା ସାହୁ, ଡାକ୍ତର ସୁମିତ୍ରା ସୋରେନ, ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ, ଅମିତାଭ ମିଶ୍ର, ଭାଗବତ ପଣ୍ଡା, ମନୋଜ ଦଲାବେହେରା, ସଂଯୁକ୍ତା ବସା, ମୂର୍ଚ୍ଛନା ଦାସପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।