କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାକେନ୍ଦ୍ର “ଭିଜନ କ୍ଲିନିକ”

ଭୁବନେଶ୍ୱର(ଚକ୍ରଧର ମାଝି) : ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଣୀତ ହେଉଥୁଇବା ବିଭିନ୍ନ ଯୋଜନା ମଧ୍ୟରୁ ସୁନେତ୍ର ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣା ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ୟୁପିଏଚସି) ଠାରେ ଲୋକାର୍ପିତ ହୋଇଯାଇଛି “ଭିଜନ କ୍ଲିନିକ” | ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଆଇନ, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି କ୍ଲିନିକକୁ ଲୋକାର୍ପିତ କରିଛନ୍ତି | ଏହି ଅବସରରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡ଼. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜଣାଶୁଣା ଚକ୍ଷୁ ରୋଗ ବିଶେଷଜ୍ଞ ଡ଼. ଟି ପି ଦାସ ଓ ସ୍ଥାନୀୟ କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ. ସ୍ଥାନୀୟ ଜନସାଧାରଣଙ୍କୁ ଏହି ଅତ୍ୟାଧୁନିକ କ୍ଲିନିକରେ ଉନ୍ନତ ମାନର ଚକ୍ଷୁ ଚିକିତ୍ସା ଯୋଗାଇ ଦିଆ ଯାଇ ପାରିବ | ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟବିଭାଗର ଦାଇତ୍ୱ ନେବା ପରେ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟରେ ଅସଜଡ଼ା ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସିଛନ୍ତି | ଆଉ ସୁନେତ୍ର ତନ୍ମଧ୍ୟରୁ ଏକ ପ୍ରମୁଖ ଯୋଜନା | ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରାଜ୍ୟର ଜଣ ସାଧାରଣଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା, ବହୁମୂଲ୍ୟ ଚିକିତ୍ସା ସେବାକୁ ଲୋକଙ୍କ ପାଇଁ ସୁଲଭ କରିବା ଓ ଅପହଞ୍ଚ ଇଲାକାରେ ଯେମିତି ସ୍ୱାସ୍ଥ୍ୟ ସେବା ତ୍ୱରିତ ଗତିରେ ପହଂଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମାର୍ଗଦର୍ଶନରେ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି |
