
ପାଞ୍ଚ ହଜାର ଟଙ୍କା ଲାଞ୍ଚ ମହଙ୍ଗା ପଡ଼ିଲା ।
ବାରିପଦାରୁ ଦିଲ୍ଲୀପ ମହାନ୍ତି : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ଶାମାଖୁଣ୍ଟା ବ୍ଲକର ବରିଷ୍ଠ କିରାଣୀଙ୍କ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେଲା । ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକ । ବାରିପଦା ଭିଜିଲାନ୍ସ ୟୁନିଟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶାମାଖୁଣ୍ଟା ବ୍ଲକ ଅଧୀନରେ ଥିବା କୁଚିଳାଘାଟି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତାପସ କୁମାର କଟୁଆଳଙ୍କ ସହିତ ୨୫ ଜଣ ଶିକ୍ଷା ସହାୟକରୁ ସହକାରୀ ଶିକ୍ଷକକୁ ଉନ୍ନିତ ହୋଇଥିଲେ । ଉକ୍ତ ଶିକ୍ଷକମାନଙ୍କର କିଛି ଏରିଆର ଟଙ୍କା ପାଇବାର ଥିଲା ଏବଂ ସେମାନଙ୍କର ପରମାନେଟ ରିଟାରମେଣ୍ଟ ଆକାଉଣ୍ଟ ନଂ ଖୋଲିବାର ରହିଥିଲା । ଉକ୍ତ ଏରିଆର ଟଙ୍କାର ବିଲ ଓ ଆକାଉଣ୍ଟ ନଂ ଖୋଲିନା ନିମନ୍ତେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କୁ ପ୍ରଥମେ ମୁଣ୍ଡ ପିଛା ୫ଶହ ଟଙ୍କା ଲେଖାଏଁ ମୋଟ ୧୨ ହଜାର ଟଙ୍କା ହାତଗୁଞ୍ଜା ସୂତ୍ରରେ ମାଗିଥିଲେ । ଏହା ଉପରେ ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ଶେଷରେ ପ୍ରଥମ କିସ୍ତିରେ ୫ ହଜାର ଓ କାର୍ଯ୍ୟ ଶେଷରେ ଅବଶିଷ୍ଟ ୫ ହଜାର ଟଙ୍କା ଏହିପରି ମୋଟ ୧୦ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା । ମାତ୍ର ଉକ୍ତ ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ଶିକ୍ଷକ ଶ୍ରୀକଟୁଆଳ ବାରିପଦା ଭିଜିଲାନ୍ସ ୟୁନିଟ ସହିତ ଯୋଗାଯୋଗ ମାଧ୍ୟମରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ତେଣୁ ପୂର୍ବ ଯୋଜନା ଅନୁସାରେ କୁଚିଳାଘାଟି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତାପସ କୁମାର କଟୁଆଳ ୫ ଅପ୍ରେଲ ଗୁରୁବାର ପୂର୍ବାହ୍ନ ୧୧.୫୦ମି. ସମୟରେ ବ୍ଲକ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କର ଦାବି ଅନୁସାରେ ଭିଜିଲାନ୍ସରୁ ନେଇଥିବା ରଙ୍ଗ ବୋଳା ୫ ହଜାର ଟଙ୍କା ଧରାଇ ଦେଇ ପୋଜିସନ ନେଇ ରହିଥିବା ଭିଜିଲାନ୍ସଙ୍କୁ କାର୍ଯ୍ୟ ସଫଳତାର ସଙ୍କେତ ଦେଇଥିଲେ । ଏହାପରେ ଭିଜିଲାନ୍ସ ଟିମ ଅତର୍କିତ ଭାବେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରକୁ ଝାମ୍ପି ପଡ଼ି କାବୁ କରିବା ପରେ ତଲାସୀ ନେଇ ଭିଜିଲାନ୍ସର ରଙ୍ଗ ବୋଳା ଟଙ୍କାକୁ ଜବତ କରିବା ସଂଗେସଂଗେ ପ୍ରଫୁଲ୍ଲଙ୍କୁ ରେଡ଼ ହ୍ୟାଣ୍ଡରେ ଗିରଫ କରି ଭିଜିଲାନ୍ସ କେଶ ନଂ ୧୭/୨୦୧୮ ଅନୁସାରେ କୋର୍ଟ ଚାଲାଣ କରିଥିଲେ । ଆଜିର ଏହି ଟ୍ରାପ ବାରିପଦା ଭିଜିଲାନ୍ସ ୟୁନିଟର ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ୟୁନିଟର ଇନ୍ସପେକ୍ଟର ପ୍ରଦୀପ ସାମଲ ଓ ଉମାଶଙ୍କର ନାୟକ, କନେଷ୍ଟବଳ ତରୁଣ କୁମାର ପାଲବାବୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।