ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଦୁଇଦିନିଆ ଗୁରୁତ୍ୱପୂର୍ଣ ଆଞ୍ଚଳିକ କର୍ମଶାଳା

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) : ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ମା)ଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଦୁଇ ଦିନିଆ  ଆଞ୍ଚଳିକ କର୍ମଶାଳା ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର୍ ଠାରେ ଫେବୃୟାରୀ ୧୦ ତାରୀଖରୁ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି କର୍ମଶାଳାରେ ଅନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ରାଜ୍ୟଗୁଡିକରେ  ବନ୍ୟା, ବାତ୍ୟା, ଭୂମିକମ୍ପ, ଜରୁରୀକାଳୀନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଏବଂ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନାରେ ଜିଆଇଏସର  ଭୂମିକା ବିଷୟଗୁଡିକ ଆଲୋଚନା ପରିସର ଭୁକ୍ତ ହେବ ।

ଏହି କର୍ମଶାଳାରେ  ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସଦସ୍ୟ ସଚିବ ଜି.ଭି.ଭି. ଶର୍ମା  ମୂଳ ବିଷୟବସ୍ତୁ ଉପରେ ଆଲୋକପାତ କରିବେ | ଭାରତ ସରକାରଙ୍କ ଜଳସମ୍ପଦ ସଚିବ  ୟୁ.ପି. ସିଂହ ଓ  ରାଜ୍ୟ ମୁଖ୍ୟ ଶାସନ ସଚିବ  ଅସିତ୍ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉକ୍ତ କର୍ମଶାଳାକୁ ସମ୍ବୋଧିତ  କରିବେ । ଭାରତୀୟ ପାଣିପାଗ ବିଭାଗ , କେନ୍ଦ୍ରୀୟ ଜଳ ଆୟୋଗ, ଇନକଏସ, ନେସନାଲ ସେଣ୍ଟର୍ ଫର୍ ସେସମୋଲୋଜି, ଜାତୀୟ ସଂସୂଚନା କେନ୍ଦ୍ର, ଆଇ.ଆଇ.ଟି ମାଡ୍ରାସ, ଅନ୍ୟାନ୍ୟ ରାଜ୍ୟ ସରକାର ଓ ସଂଗଠନ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧରେ ବହୁମୂଲ୍ୟ ମତାମତ ପ୍ରଦାନ କରିବେ ।

ଉକ୍ତ କର୍ମଶାଳାଟି, ଅଂଶଗ୍ରହଣ କରିଥିବା ରାଜ୍ୟମାନଙ୍କ ପାଇଁ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଅନୁଭୂତିଗୁଡିକୁ ଆଦାନପ୍ରଦାନ କରିବା ନିମନ୍ତେ ଏକ ଉତ୍କୃଷ୍ଟ ମାଧ୍ୟମ ସାବ୍ୟସ୍ତ ହେବ । କର୍ମଶାଳାର ନିର୍ଯ୍ୟାସ ଭବିଷ୍ୟତରେ ବିପର୍ଯ୍ୟୟଜନିତ ଧନଜୀବନ ଓ ପରିବେଶଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ ବୋଲି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସଡମା ପକ୍ଷରୁ କୁହାଯାଇଛି | 

Leave A Reply

Your email address will not be published.