ଅଦାଲତ ଛାଟ ପରେ ଶିଶୁପାଳ  ପ୍ରଶାସନ

0

ବିଜେପି ଜିଲ୍ଲା ସଭାପତିଙ୍କ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନକରି ଫେରିଲା

ଅଦାଲତ ଛାଟ ପରେ ଶିଶୁପାଳ  ପ୍ରଶାସନ

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ବସବାସ କରୁଥିବା ବାସଗୃହଟି ସରକାରୀ ଜମିକୁ ଜବରଦଖଲ କରି ମୁଣ୍ଡ ଟେକି ଉଠିଥିବାରୁ ଏହାକୁ ଜବରଦଖଲ ମୁକ୍ତ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ି ଥିଲା । ମାତ୍ର ଉଚ୍ଚ ନ୍ୟାୟାଳୟର ଛାଟ ବାଜିବା ପରେ ପ୍ରଶାସନକୁ ଶେଷରେ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି । ଯାହାକୁ ନେଇ ପ୍ରଶାସନକୁ ଜନସାଧାରଣରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦ ୱାର୍ଡ  ନମ୍ବର ୩ ଫରେଷ୍ଟ କଲୋନୀସାହି ସ୍ଥିତ ସରକାରୀ ଜମି ପ୍ଲଟ ନଂ -୪୩୫, ଖାତା ନମ୍ବର ୨୪୬,  କିସମ ପତିତ ଏ୦.୦୬ ଡ଼ି.ରେ ଏକ ଦୁଇ ତାଲା ଘରରେ ସପରିବାରେ ବସବାସ କରିଆସୁଥିଲେ । ଉକ୍ତ ସରକାରୀ ଜମି ବାରିପଦା ପୌରପରିଷଦର ରେକର୍ଡ  ଅନୁସାରେ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଭାଇ ନୀଳମଣି ମହାପାତ୍ରଙ୍କ ନାମରେ ରହିଥିବାର ପରିଲକ୍ଷିତ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ତାହାକୁ ଲିଜ ସୂତ୍ରରେ ହାତେଇବା ନିମନ୍ତେ ବାରିପଦା ତହସିଲଦାରଙ୍କ କୋର୍ଟରେ ଓପିପି(ଇଭିଓ) କେଶ ନଂ- ୦୯/୨୦୧୭ରେ ଏକ ମାମଲା ରୁଜୁ କରିଥିଲେ; କିନ୍ତୁ ତହସିଲଦାରଙ୍କ ଅଦାଲତରେ ଗତ ୨୭.୦୨୨୦୧୮ରେ ଏହା ଖରଜ  ହେବା ସଂଗେସଂଗେ ନିୟମ ୮ ଓପିପି(ଏଭିକସନ ଅଫ ଅନଅଥରାଇଜଡ୍ ଅକୋପାଏଡ) ରୁଲ ୧୯୮୮ ଆଧାରରେ ଜମିକୁ ଏଭିକସନ ସହିତ ତା ଉପରେ ବେଆଇନ ଭାବେ ନିର୍ମାଣକୁ ଭାଙ୍ଗିଦେବା(ଡିମୋଲାଇଜେସନ) ନିମନ୍ତେ ଆଦେଶ ଦେଇଥିଲେ । ବିଜେପି  ପୂର୍ବ ଜିଲ୍ଲା ସଭାପତି ଡ଼ା. ମହାପାତ୍ର ତହସିଲଦାରଙ୍କ ରାୟ ଉପରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କୋର୍ଟରେ ଓପିପିଇୟୁଓ ନଂ ୦/୨୦୧୮ରେ ଅପିଲ କରିଥିଲେ । ଜିଲ୍ଲାପାଳ ଅପିଲ ଉପରେ ଶୁଣାଣି କରି ଚଳିତ ମାର୍ଚ୍ଚ ୧୫ରେ ତହସିଲଦାଙ୍କ ରାୟକୁ କାଏମ ରଖିବା ସହିତ ୨୩.୦୩.୨୦୧୮ରେ ଏଭିକସନ କରାଯିବ ବୋଲି ନୋଟିସ ପଠାଇଥିଲେ ଏବଂ ୨୬.୦୩.୨୦୧୮ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭିକସନ ନିମନ୍ତେ ଜେସିବି ଗାଡ଼ି ଯାଇ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଘର ନିକଟରେ ପହଁଞ୍ଚିଥିଲା । କିନ୍ତୁ କୃଷ୍ଣ ମହାପାତ୍ରଙ୍କ ପିତା ସ୍ୱର୍ଗତ ରାମ ଚନ୍ଦ୍ର ମହାପାତ୍ରଙ୍କ ପତ୍ନୀ ଶିବପ୍ରିୟା ମହାପାତ୍ର ଏହା ମଧ୍ୟରେ ଜିଲ୍ଲାପାଳଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁ୍ୟପି(ସି)-୪୦୨୩/୨୦୧୮ରେ ଏକ ରିଟ ଦାଏର କରି ଏଭିକସନ ଉପରେ ସ୍ଥଗିତାଦେଶ ଆଣି ଜିଲ୍ଲାପ୍ରଶାସନଙ୍କ ହାତରେ ଧରାଇ ଦେଇଥିଲେ । ପ୍ରକାଶ ଥାଉକି, ବାରିପଦା ପୌରପରିଷଦରେ ପ୍ରାୟ ୫୫ ପ୍ରତିଶତରୁ ଅଧିକ ପରିବାର ସରକାରୀ କିମ୍ବା ଦେବୋତ୍ତର ସମ୍ପତ୍ତିକୁ ଜବରଦଖଲ କରି ବର୍ଷବର୍ଷ ଧରି ବସବାସ କରିଆସୁଛନ୍ତି । ଏଥି ସହିତ ଆଇନ ଚକ୍ଷୁରେ ସମସ୍ତେ ସମାନ ହୋଇଥିବା ବେଳେ ସହରରେ ୫୫ ଜବରଦଖଲକାରୀ ପ୍ରତିଶତଙ୍କ ମଧ୍ୟରୁ କେଉଁ କାରଣରୁ ପ୍ରଶାସନର ବିଜେପିର ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପରେ ପଡ଼ିଲା ତାହାକୁ ନେଇ ପୌରବାସୀ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରଶାସନିକ ଅଧିକାରୀମାନଙ୍କ ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ଏମାନଙ୍କ କଲମ ମୁନରେ ସବୁକିଛି ସମ୍ଭବ ହୋଇଥିବାର ପରିଲକ୍ଷିତ ହୋଇଛି । ଗ୍ରାମାଞ୍ଚଳ ଓ ସମ୍ପୃକ୍ତ ଜିଲ୍ଲାର ଜନସାଧାରଣ ନିଜର ବୃତ୍ତି କିମ୍ବା ପିଲାମାନଙ୍କ ପାଠପଢ଼ି ନିମନ୍ତେ ଓଡ଼ିଶା ରାଜ୍ୟ ସହରାଞ୍ଚଳ ବନ୍ଦୋବସ୍ତ  ନିୟମ ୧୯୫୯ ଅନୁସାରେ ପ୍ରଶାସନ ନିକଟରୁ ଜମି ଲିଜ ସୂତ୍ରରେ ନେଇପାରିବେ । ଉକ୍ତ ଲିଜ ସମ୍ପତ୍ତି ନିଜ ନାମରେ ପଟ୍ଟା ଓ ହସ୍ତାନ୍ତର କରାଇ ପାରିବେ ନାହିଁ ବୋଲି ନିୟମ ରହିଛି । ମାତ୍ର ଉକ୍ତ ନିୟମକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଫୁ. . . . . ରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି । ବାରିପଦା ତହସିଲରେ ରେଭିନ୍ୟୁ  ସୁପରଭାଇଜର ଭାବେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତୁରଡ଼ାପଡା ଗ୍ରାମର ମୋହନ ଚରଣ ପଣ୍ଡା(୪୯)ଙ୍କୁ ବେଆଇନ ଭାବେ ଲିଜ ଡ଼ିଡ ୫୬୪୮/୧୬.୧୧.୧୯୭୯ରେ ଏ୦.୧୦ ଡ଼ି. ସମ୍ପତ୍ତି ହାତେଇ ଥିବା ବେଳେ ୧୯୭୦ ଅପ୍ରେଲ ୧୭ରେ ରମାକାନ୍ତ ଦେ ଖାତା ନଂ-୨୩୮, ପ୍ଲଟ ନଂ ୪୧୧ ଏ୦.୧୦ଡ଼ି. ସମ୍ପତ୍ତି ଜିଲ ସୂତ୍ରରେ ୯୦ ବର୍ଷ ନିମନ୍ତେ ନେଇଥିଲେ । ଉକ୍ତ ଜମିକୁ ତାଙ୍କ ପୁଅ ପ୍ରଶାନ୍ତ କୁମାର ଦେ ଓଗେର  ତହସିଲରେ ଦାଖଲ ଖାରଜ କେଶ ନଂ ୪୩୧୯/୧୯୯୯ ମାଧ୍ୟମରେ ସମ୍ପତ୍ତକୁ ନିଜ ନାମରେ ଆଇନର ପଛ ଦ୍ୱାର ଦେଇ ପଟ୍ଟା କରାଇବାରେ ସଫଳ ହେବାରେ ଡ଼କୋମେଣ୍ଟ ନଂ-୩୩୫୬/୩୦.୧୦.୨୦୦୧ରେ ସମ୍ପତ୍ତିକୁ ଅନ୍ୟକୁ ବିକ୍ରି କରାଇ ଦେଲେ । ସେହିପରି ଶିକ୍ଷାବିତ ତଥା ସରକାରୀ ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସପାଲ ଦୀପକ ଷଢ଼ଙ୍ଗୀ ପ୍ରମୁଖ ଏହିପରି ଏକାଧିକ ବ୍ୟକ୍ତି ୨୪୬ ଖାତା ନଂରୁ ସମ୍ପତ୍ତି ହାତେଇ ନେଇଥିବା ବେଳେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବେଳକୁ ଆଇନର ନାଲି ଆଖିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସହରବାସୀ । ତେଣୁ ଭାତହାଣ୍ଡିରୁ ଗୋଟାଏ ଭାତ ଚିପିବା ଭଳି ବାରିପଦା ପୌରପରିଷଦରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଜରେ ପ୍ରଦାନ କରାଯାଇଥିବା ଶହଶହ ଏକର ବେଆଇନ ସରକାରୀ ଜମି ଉପରେ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ  ଗ୍ରହଣ ନିମନ୍ତେ ପୌରବାସୀ ପକ୍ଷରୁ ଦାବି କରାଯାଇଛି । 

27-03-18-baripada.jpg - 172.96 kB

              ସୂଚନା ଯୋଗ୍ୟ, ସରକାରୀ ଜମି ହଡ଼ପ ଆଇନତଃ ଏକ ଅପରାଧ । ସରକାରୀ ଜମିକୁ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଅତୀତରେ ଅନେକ ଆଇନର ବ୍ୟବସ୍ଥା କରିଥିଲେ ମଧ୍ୟ ଏହି ସମସ୍ତ ଆଇନରେ ବଦଳ ଆଣିବାକୁ ଯାଇ ୨୦୧୫ରେ ଓଡ଼ିଶା ଜମି ହଡ଼ପ(ନିରୋଧ) ଆଇନ-୨୦୧୫ ପ୍ରଣୟନ କଲେ । ଭାରତର ଛଅଷଠିତମ ଗଣତନ୍ତ୍ରରେ, ଓଡ଼ିଶା ରାଜ୍ୟ ପରିଷଦ ଦ୍ୱାରା ଏହା ଆଇନରେ ପରିଣତ ହେଲା । ସମ୍ବିଧାନର ଅନୁଚ୍ଛେଦ ୨୧୩ର ଧାରା (୧) ଦ୍ୱାରା ପ୍ରଦତ କ୍ଷମତାର ପରିଚାଳନାରେ ଓଡ଼ିଶା ଭୂମି ହଡ଼ପ (ନିରୋଧ) ଅଧ୍ୟାଦେଶ ୨୦୧୫ ଜାରି କରିବା ନିମନ୍ତେ ସନ୍ତୁଷ୍ଟ ହୋଇଛନ୍ତି ଏବଂ ୨୬/୦୫/୨୦୧୫ରେ (ଓଡ଼ିଶା ଅଧ୍ୟାଦେଶ ନଂ.୧/୨୦୧୫) ଭାବେ ଯାହାକି ଓଡ଼ିଶା ଗେଜେଟରେ ଅସଧାରଣ ସଂଖ୍ୟା ୮୫୩/୨୮.୦୫.୨୦୧୫ରେ ପ୍ରକାଶିତ  ହୋଇଥିଲା । ଜମି ହଡ଼ପକାରୀଙ୍କ ଏପରି ଅବୈଧ କାର୍ଯ୍ୟକଳାପ ପ୍ରତିହତ କରିବା ନିମନ୍ତେ ଏହା ପ୍ରସ୍ତାବିତ ଓ ବିଲଟି ଉକ୍ତ ଉଦ୍ଦେଶ୍ୟ  ହାସଲ କରିବା ନିମନ୍ତେ ଉଦ୍ଦିଷ୍ଟ  । ସରକାରୀ ଜମି ହଡ଼ପ କରିଥିବାର ପ୍ରମାଣିତ ହେଲେ ଦୋଷୀଙ୍କ ପ୍ରତି ଆଇନରେ ଜେଲ ଓ ଜୋରିମାନାର ବ୍ୟବସ୍ଥା ମଧ୍ୟ ରହିଛି । 

 

Leave A Reply

Your email address will not be published.