୩ ହଜାର କୋଟିରୁ ଉର୍ଦ୍ଧ୍ବ ଜଳକର ବାକି : ଅଦାଲତର କାଠଗଡ଼ାରେ ସରକାର Recent News By SPNEWS On Mar 26, 2018 0 Share କେନ୍ଦ୍ର ସରକାରଙ୍କ ଏମସିଏଲ, ନାଲକୋ, ରେଳବାଇ ପ୍ରମୁଖ ଖିଲାପୀ । ରାଜ୍ୟ ସରକାରଙ୍କ ଇଡକୋ, ଖଣି ନିଗମ, ଇଡକଲ ଉପରେ ବି ଗଡୁଛି ଜଳକର । ଭୁବନେଶ୍ୱର : ବଡ଼ ବଡ଼ ଶିଳ୍ପସଂସ୍ଥା, ଖଣି ଖାଦାନ ଆଦି ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୩ହଜାର ୭୫ କୋଟି ଟଙ୍କା ବାକି ପଡ଼ିଛି । ଏହା ପୈଠ କରିବା ପରିବର୍ତ୍ତେ ଅନେକ ସଂସ୍ଥା ଅଦାଲତରୁ ରହିତାଦେଶ ଆଣିବା ଫଳରେ ରାଜ୍ୟ ରାଜକୋଷକୁ ଅଢେ଼ଇ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ଆସିପାରୁନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ହିସାବରୁ ଏହା ଜଣାପଡ଼ିଛି । ଯେଉଁ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ଜଳକର ନ ଦେବା ଲାଗି ଆଇନ୍ ଅଦାଲତରେ ମାମଲା ରୁଜୁ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍, ନାଲ୍କୋ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତି ଷ୍ଟିଲ୍, ପାରାଦୀପ ଫସ୍ଫେଟ୍ସ, ଦକ୍ଷିଣ-ପୂର୍ବ ରେଳପଥ, ଟାଟା, ଓରିଏଣ୍ଟ କାଗଜ କଳ, ବେଦାନ୍ତ ଆଲୁମିନା, ଓଡ଼ିଶା ପାୱାର କନ୍ସୋର୍ଟିୟମ୍, ଜିନ୍ଦଲ, ରିଲାଏନ୍ସ, ମଙ୍ଗଳମ୍ ଟିମ୍ବର୍ସ, ଆସ୍କା ସମବାୟ ଚିନିକଳ, ସେବା କାଗଜକଳ ଇତ୍ୟାଦି ୨୮ଟି ସଂସ୍ଥା । ଏମାନେ ରୁଜୁ କରିଥିବା ମାମଲାଗୁଡ଼ିକ ଯୋଗୁ ୨୫୦୩୫୩ ଲକ୍ଷ ୩୬ ହଜାର ଟଙ୍କା ଆଦାୟ ହୋଇପାରୁନାହିଁ । ରାଜ୍ୟର ଆଉ ୨୬୧ଟି ସଂସ୍ଥା ଉପରେ ୫୭୧ କୋଟି ୧୦ ଲକ୍ଷ ଟଙ୍କାର ବାକିଆ ଗଡ଼ୁଛି । ଏଗୁଡ଼ିକର ଡିଭିଜନ୍ୱାରୀ ହିସାବ ମନ୍ତ୍ରୀ ପ୍ରଦାନ କରିଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ଇଡକୋ , ନିଳାଚଳ ଇସ୍ପାତ ନିଗମ, ଇମ୍ଫା, ଫାକର୍, ବାଲେଶ୍ୱର ଆଲଏଜ୍, ଓଡ଼ିଶା ଖଣି ନିଗମ, ଇଡକଲ, ପାରାଦୀପ ବନ୍ଦର, ମାହେଶ୍ୱରୀ ଇସ୍ପାତ, ଆଧୁନିକ ମେଟାଲିକ , ଏମସିଏଲ , ବରଗଡ଼ ସମବାୟ ଚିନିକଳ, ଏସାର ଷ୍ଟିଲ୍, ବିର୍ଲା ଟାୟାର୍ସ, ପୂର୍ବତଟ ରେଳପଥ ସମେତ ବହୁ କଳ କାରଖାନା, ଖଣି, ପୌର ସଂସ୍ଥା ଓ ଜଳଯୋଗାଣକାରୀ ସଂସ୍ଥାଙ୍କ ନାମ ରହିଛି । ରାଜ୍ୟରେ ପ୍ରବାହିତ ନଦୀ ଜଳ ବ୍ୟବହାର କରି ଏମାନେ ମୋଟା ଅଙ୍କର ଟିକସ ଦେଉନାହାନ୍ତି । ମନ୍ତ୍ରୀ କହିଛନ୍ତି ଯେ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରି ବକେୟା ଅର୍ଥ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କ ଉପରେ ଜଳକର ବାକି ରହିଛି ସେଗୁଡ଼ିକୁ ଆଦାୟ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଗୋଟିଏ ପଟେ ରାଜ୍ୟ ସରକାର ଶିଳ୍ପ ବିକାଶ ପାଇଁ ବିଭିନ୍ନ ସଂସ୍ଥାଙ୍କୁ ବ୍ୟାପକ ସୁଯୋଗ ଦେଉଥିବା ବେଳେ ଏହାର ଉପଯୋଗ କରି ସେମାନେ ରାଜ୍ୟକୁ ରାଜସ୍ୱ ଫାଙ୍କିବା ଦୁର୍ଭାଗ୍ୟଜନକ ବୋଲି ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ବିଧାୟକ ମତ ଦେଇଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail