ଯାଜପୁର ପୌରପରିଷଦ ୧୫୦ବର୍ଷ ପୁର୍ତ୍ତୀ ଓ ୨୫ତମ ଜିଲ୍ଲା ପ୍ରତିଷ୍ଠା ଦିବସ
ଯାଜପୁର ଜିଲ୍ଲା ଏବେ ରାଜ୍ୟର ଶିଳ୍ପ ରାଜଧାନୀ : ମୁଖ୍ୟମନ୍ତ୍ରୀ
ଯାଜପୁରରୁ ଜୟଶଙ୍କର ଦାସ : ଯାଜପୁର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା । ପରାଧିନ ଭାରତରେ ସ୍ୱାଧୀନତା ଆନେ୍ଦାଳନ ପାଇଁ ଏହି ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀମାନଙ୍କ ଅବଦାନ ମହାନ୍ ଆଉ ଅତୁଳନୀୟ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଗୋଟିଏ ଛୋଟିଆ ଗଛ ଲଗାଇଥିବା ବେଳେ ତାହା ଆଜି ଏକ ବିରାଟ ବୃକ୍ଷ ରୂପ ଧାରଣ କରି ଶିଳ୍ପର ରାଜଧାନୀ ହେବାକୁ ବସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଯାଜପୁର ପୌରପରିଷଦ ୧୫୦ବର୍ଷ ପୁର୍ତ୍ତୀ ଓ୨୫ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି । ସେହିପରି ଯାଜପୁର ସହରକୁ ଆସି ସେ ଖୁସି ବ୍ୟକ୍ତ କରିବା ସହ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର ରୂପ ନେଇଛି ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣରେ ଯାଜପୁରରେ ପହଂଚି ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରିବା ସହିତ ଶିଳାନ୍ୟାସ କରିଥିଲେ । ଆକାଶମାର୍ଗରେ ମୁଖ୍ୟମନ୍ତ୍ରୀ ଯାଜପୁର ମିନିଷ୍ଟାଡିୟମ ଠାରେ ଅପରାହ୍ଣ ୫.୩୦ ମିନିଟରେ ପହଂଚି ପ୍ରଥମେ କୁସୁମା ସରୋବରକୁ ଉଦ୍ଘାଟନ କରିଥିଲେ । ପରେ ୧ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଜିଲ୍ଲା ସଦରମହକୁମା ଚିକିତ୍ସାଳୟର ଶିଳାନ୍ୟାସ ଓ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିବା ସହ ମାତୃ ଓ ଶିଶୁ ଯତ୍ନ ସଦନକୁ ଉଦ୍ଘାଟନ କରିଥିଲେ । ବରାହ ପୋଲ ନିକଟରେ କରାଯାଇଥିବା ଯାଜପୁର ପୌରପରିଷଦର ୧୫୦ବର୍ଷ ପୂର୍ତ୍ତି ସ୍ମାରକୀକୁ ଉଦ୍ଘାଟନ କରି ୧୫୦ତମ ପୂର୍ତ୍ତି ଓ ୨୫ବର୍ଷ ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହ ପାଇଁ ସାରା ଯାଜପୁର ସହର ଉତ୍ସବ ମୁଖର ହୋଇଉଠିଛି ଓ ଯାଜପୁର ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କ ଉଦ୍ବୋଧନରେ କହିଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଯାଜପୁର ସହର ୪ଶହ ବର୍ଷର ସହର । ଏହା ଉତ୍କଳର ରାଜଧାନୀ ଥିଲା । ଏଠାରେ ସର୍ବଧର୍ମ ସମନ୍ୱୟର ସହର ହୋଇଥିବା ବେଳେ ସୁଖ , ଶାନ୍ତି , ପ୍ରେମ ଓ ଭାଇଚାରାର ସହର ବୋଲି ବର୍ଣ୍ଣନା କରିଥିଲେ । ଏହି ଦିବସଟି ନୂତନ ଯୁଗର ଆରମ୍ଭର ସମ୍ଭାବନା ବୋଲି ଦୃଢେ଼ାକ୍ତିି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ୧୮୬୯ ମସିହା ଅପ୍ରେଲ ୧ ତାରିଖ ଯାଜପୁର ପୌରପରିଷଦ ଜନ୍ମଲାଭ କରିଥିବାବେଳେ ୧୯୯୩ ମସିହା ଅପ୍ରେଲ ୧ ତାରିଖ ଦିନ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ କରାଯାଇଥିଲା । ଏହି ଜିଲ୍ଲାରେ ଅଧୁନା ୧୫ଗୋଟି ଶିଳ୍ପ ପ୍ରତିଷ୍ଠା ଲାଭ କରିଥିବାବେଳେ ଯାଜପୁର ଜିଲ୍ଲା ସଂସ୍କୃତି , ପରମ୍ପରା ଓ ଐତିହ୍ୟର ମିଳନର ଜିଲ୍ଳା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି, ସାଂସଦ ରୀତା ତରାଇ , ବରୀ ବିଧାୟକ ଦେବାଶିଷ ନାୟକ , ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରାଇ ବିଧାୟକ ଆକାଶ ଦାସ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ପୌରାଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ସମେତ ସମସ୍ତ ପାରିଷଦ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହା ସମାରୋହରେ ସାଂସଦ ପ୍ରଶାନ୍ତ ନନ୍ଦ, ଅଚ୍ୟୁତ ସାମନ୍ତ, ଚଳଚିତ୍ର ତାରକା ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ସହିତ ଅନେକ ଚଳଚିତ୍ର ତାରକା ଉପସ୍ଥିତ ଥିଲେ । ଏହି ସମାରୋହରେ ୫୦ ହଜାରରୁ ଉର୍ଧ୍ଵ ଜନସାଧାରଣ ଉପସ୍ଥିତ ରହିଥିଲେ । ସଭା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ଯାଜପୁର ଉପରେ ଆଧାରିତ କଫି ଟେବୁଲ ବୁକ୍ ନାମକ ଏକ ପୁସ୍ତକ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ବିଧାୟିକା ଓ ସାଂସଦ ମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଯାଜପୁର ପୌରପରିଷଦ ପକ୍ଷରୁ ସିନେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା ।