ବାରିପଦା/ ଦିଲ୍ଲୀପ ମହାନ୍ତି – ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ଡ଼କ୍ଟର ଭି. ସୁଜାତା ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ହଳଦୀପାଳ ଅଞ୍ଚଳର ଲକ୍ଷ୍ମଣ ଦଳାଇ(୨୦), ପିଲୁ ଓରଫ ଶ୍ରୀକୃଷ୍ଣ ମହାନ୍ତ(୨୦) ଓ ଚିତ୍ରଡ଼ାର ବୁବୁନ ମହାନ୍ତ(୨୧)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୩ ବର୍ଷ କାରାଦଣ୍ଡ, ଏକ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ଜୁନ ୨୯ ରବିବାର ଅପରାହ୍ନ ସାଢେ଼ ୪ଟା ସମୟରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଏକ ନାବାଳିକା ଝିଅ ଜଗତବନ୍ଧୁ ବସରେ ଚିତ୍ରଡ଼ାର ଶିରିଷାପାଳ ଛକରୁ ବସରେ ଉଠି ନିଜ ଘରକୁ ଫେରୁ ଥିବା ବେଳେ ବାଛୁରୀପାଳ ଛକ ନିକଟରେ ନାବାଳିକାକୁ ଅଭିଯୁକ୍ତ ଲକ୍ଷ୍ମଣ ଦଳାଇ ବାଇକରେ ଘରେ ଛାଡ଼ି ଦେବେ ବୋଲି କହି ଭୁଲାଇ ଉହ୍ଲାଇ ନେଇଥିଲେ । ଏହାପରେ ତାର ଅନ୍ୟ ସହଯୋଗି ଦୁଇ ଯୁବକଙ୍କ ସହାୟତାରେ ଦୁଇଟି ବାଇକରେ କୁଆଡେ଼ ଅପହରଣ କରାଇ ନେଇଯାଇଥିଲେ । ନାବାଳିକା ଝିଅ ନ ଘରେ ପହଁଞ୍ଚିବାର ଦେଖି ବାପା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ମୋରଡ଼ା ଥାନାରେ ଗତ ୦୭.୦୭.୨୦୧୪ରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ୬୨/୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାରେ ରହିଥିବା ମୋଟ ୧୭ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ ।