ଗୁହାରି ଜଣାଇବାକୁ ପିଲାଏ ଚାଲି ଚାଲି ଆସିଲେ ୧୫ କିମି

ବାରିପଦା/ଦିଲ୍ଲୀପ ମହାନ୍ତି – ଛାତ୍ରାବାସ ଓ ଛାତ୍ରୀ ନିବାସରେ ଅଧା ସିଝା ତରକାରୀ, ପତଳା ଡ଼ାଲି ଓ ଦରଫୁଟା ଭାତ ଖାଇବାକୁ ଦିଆ ଯାଉଛି । ସେହିପରି ଅନ୍ତେବାସିନୀ ଛାତ୍ରୀମାନଙ୍କର କୌଣସୀ ସ୍ୱତନ୍ତ୍ରତା(ପ୍ରାଇଭେସି) ରହୁ ନାହିଁ । ପ୍ରଧାନ ସେବକ ହିମାଂଶୁଙ୍କ ସମେତ ଗ୍ରାମର କେତେକ ବ୍ୟକ୍ତି ଛାତ୍ରୀମାନେ ଗାଧୋଉଥିବା ସମୟରେ ଅବାଧ ପ୍ରବେଶ କରିଥାନ୍ତି । ଆଶ୍ରମ ବିଦ୍ୟାଳୟରେ ଯେଉଁ ଶିକ୍ଷକମାନେ ଶୃଙ୍ଖଳିତ ଭାବେ ଦାୟିତ୍ୱ ତୁଲାନ୍ତି ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିଥାନ୍ତି । ପ୍ରଧାନ ସେବକଙ୍କ ବନ୍ଧୁ ତଥା ସ୍ଥାନୀୟ ଅଧିବାସୀ ମିଲୁ ମହାନ୍ତି ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଖରପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ଏହି ସମସ୍ତ ବିଷୟକୁ ନେଇ ଛାତ୍ରୀଛାତ୍ରମାନେ ପ୍ରଧାନ ସେବକ ହିମାଂଶୁ ପଟ୍ଟନାୟକଙ୍କ ନିକଟରେ ଅନେକ ଥର ଅଭିଯୋଗ ଆଣି ଥିଲେ ମଧ୍ୟ ସମସ୍ୟାର ସମାଧାନ କରିବା ବଦଳରେ ସେମାନଙ୍କୁ ଗାଳିଗୁଲଜ ଏପରିକି ଶାରିରୀକ ନିର୍ଯ୍ୟାତନା ଦେଇଥାନ୍ତି ବୋଲି ଅଭିଯୋଗ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ବାଲିଡ଼ିହା ଆଶ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ | ଛାତ୍ରୀଛାତ୍ରମାନଙ୍କର ବାର୍ଷିକ ପରୀକ୍ଷା ଚାଲୁ ରହିଥିବା ବେଳେ ହଠାତ୍ ଆଜି ୫୦ରୁ ଅଧିକ ଛାତ୍ରୀଛାତ୍ର ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ(ଶିକ୍ଷକ) ହିମାଂଶୁ ପଟ୍ଟନାୟକଙ୍କ ବିରୋଧରେ ଏପରି ଅଭିଯୋଗ କରିବା ପାଇଁ ପରୀକ୍ଷା ଶେଷ ହେବା ପରେ ପ୍ରାୟ ୧୫ କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲିଚାଲି ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଥିଲେ । ମାତ୍ର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଆସି ପହଁଞ୍ଚିଥିଲେ । ପ୍ରଥମ ଶ୍ରେଣୀରୁ ନବନ ଶ୍ରେଣୀରେ ପ୍ରାୟ ୪ ଶହ ପାଖାପାଖି ଛାତ୍ରୀଛାତ୍ର ରହି ଅଧ୍ୟୟନ କରିଥାନ୍ତି ।
