ନକଲି ଡାକ୍ତର ଠାବହେବା ପ୍ରସଙ୍ଗ:ଉଚ୍ଚସ୍ତରୀୟ ତଦନ୍ତ ଦାବିି

0

ସୁନ୍ଦରଗଡ଼/ Horachand deuria  – ଜାଲ ପ୍ରମାଣପତ୍ର ମାଧ୍ୟମରେ ଡାକ୍ତର ନିଯୁକ୍ତି ପାଇ ଦୀର୍ଘ ତିନି ବର୍ଷ ଧରି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତର ଆଜି ପୋଲିସ ଦ୍ଵାରା ଠାବ ହେଲାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱଛତା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ | ତତ ସଙ୍ଗେସଙ୍ଗେ ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବୀ କରିବା ସହିତ ନକଲି ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି | ଏହି ଅବସରରେ ସମାଜସେବୀ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ବଡ ପଣ୍ଡାଙ୍କ ପ୍ରତକ୍ଷ ସମ୍ପୃକ୍ତି ବିନା ଏଭଳି ଜଘନ୍ୟ ଅନିୟମିତତା କେବେ ସମ୍ଭବ ନୁହେଁ | କାରଣ ଡାକ୍ତର ନିଯୁକ୍ତି ପାଇଁ ବହୁ କଡା ନିୟମାବଳୀ ରହିଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବିହାର ମେଡିକାଲ କାଉନସିଲରେ ପଞ୍ଜିକୃତ ହୋଇଥିବା ଡାକ୍ତରଙ୍କୁ ଓଡିଶାରେ ନିଯୁକ୍ତି ନେଇ କଟକଣା ରହିଛି | ହେଲେ ବିହାର ମେଡିକାଲ କାଉନସିଲରେ ପଞ୍ଜିକୃତ ହୋଇଥିବା ପ୍ରମାଣପତ୍ରରେ କେମିତି ନକଲି ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ | ତାଛଡା ସମ୍ପୃକ୍ତ ନକଲି ଡାକ୍ତରଙ୍କ ଅପାରଗତା ଓ ଅପାରଦର୍ଶିତା ବିଷୟରେ ମଧ୍ୟ ସ୍ଥାନୀୟ ଜନସାଧାରଣ ବହୁବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ହେଲେ ଜନସାଧାରଣଙ୍କ ଅଭିଯୋଗ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କାହିଁକି ଆଖି ବୁଜି ଦେଇଥିଲା ତାହା ମଧ୍ୟ ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ ବୋଲି କୁସୁମ କହିଛନ୍ତି | ଏହି ଅବସରରେ ସମାଜସେବୀ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ଲୋକଙ୍କ ଜନମ ମରଣ ସହିତ ଯୋଡି ହୋଇଥିବା ସ୍ୱାସ୍ଥ୍ୟ ବିଭାଗରେ ଯଦି ଏଭଳି କେଳେଙ୍କାରୀ ତାହେଲେ ଅନ୍ୟ ବିଭାଗରେ କ’ଣ ହେଉନଥିବ ତାହା ସହଜରେ ଅନୁମେୟ | ଦୀର୍ଘ ତିନି ବର୍ଷର ଚିକିତ୍ସା ଭିତରେ ସମ୍ପୃକ୍ତ ନକଲି ଡାକ୍ତର କେତେ ରୋଗୀଙ୍କ ଚିକିତ୍ସା କରିଛନ୍ତି ଓ କେତେ ଜଣଙ୍କ ଜୀବନ ନେଇଛନ୍ତି ତାହାର ମଧ୍ୟ ଏକ ସଠିକ ଅନୁସନ୍ଧାନ ଆବଶ୍ୟକ ଅଟେ | ତେଣୁ କେବଳ ନକଲି ଡାକ୍ତରଙ୍କୁ ଗିରଫ କରିଦେଲେ ଏହାର ସ୍ଥାୟୀ ପ୍ରତିକାର ହେବନାହିଁ | ଯେଉଁ ମାନେ ତାଙ୍କୁ ବେଆଇନ ନିଯୁକ୍ତି ଦେଇଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ସୁରକ୍ଷା ଯୋଗାଉଥିଲେ ତାହାର ପର୍ଦାଫାଶ ହେବା ବହୁ ଆବଶ୍ୟକ ଅଟେ | ତେଣୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ବେଆଇନ ନିଯୁକ୍ତିରେ ସମ୍ପୃକ୍ତ ଥିବା ଅଧିକାରିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି | ତତ ସଙ୍ଗେ ସଙ୍ଗେ ଜିଲାରେ ଆଉ ଏମିତି କେତେ ନକଲି ଡାକ୍ତର ନିଯୁକ୍ତି ହୋଇଛନ୍ତି ସେ ସମ୍ୱନ୍ଧରେ ମଧ୍ୟ ପୁଙ୍ଖନୁପୁଙ୍ଖ ତଦନ୍ତ କରିବା ପାଇଁ କୁସୁମ ଦାବୀ କରିଛନ୍ତି |

Leave A Reply

Your email address will not be published.