ବାରିପଦା ପୌରପରିଷଦରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ଭଞ୍ଜସେନା 

0

୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରାନଗଲେ ପୌର କାର୍ଯ୍ୟାଳୟ ଘେରାଉ କରିବାର ଚେତାବନୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଭଞ୍ଜସେନା ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏଥି ସହିତ ସଫେଇକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ ପୌର ନିର୍ବାହୀ ଅଧିକାରୀଙ୍କୁ ୧୫ ଦିନ ସମୟ ଦେଇଛନ୍ତି । ଉକ୍ତ ସମୟସୀମା ମଧ୍ୟରେ ସ୍ଥାୟୀ ସମାଧାନ ସମ୍ଭବ ନହେଲେ ସେନା ପୌରପରିଷଦ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି ଚେତାବନୀ ଦେବା ସଂଗେସଂଗେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଗତ  ନଭେମ୍ବର ୮ରେ ବାରିପଦା ପୌରପରିଷଦର ସଫେଇ ଟେଣ୍ଡର ନେଇଥିବା ଠିକା ସଂସ୍ଥାର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି  ଦାବିପତ୍ର ପ୍ରଦାନ କରିଥିଲା । ପୌରପରିଷଦର ସଫେଇ ନିମନ୍ତେ ଠିକା ସଂସ୍ଥା ନିକଟରେ ଆବଶ୍ୟକୀୟ ଉପକରଣ ଯଥା ବୋର-ହ୍ୱିଲ, ଏଲସିଭି, ଟ୍ରାକ୍ଟର ଗାଡ଼ି ସହ ଆବଶ୍ୟକ ସଂଖ୍ୟକ ସଫେଇ କର୍ମଚାରୀର ଅଭାବ ରହିଛି । ପୁଣି ଯେତିକ କର୍ମଚାରୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଇଛି ସେମାନଙ୍କୁ କାର୍ଯ୍ୟକରିବାର ୪୫ ଦିନ ପରେ ମଧ୍ୟ ଦରମା ଦେଇପାରୁ ନାହିଁ । ଏଦିଗରେ ଜିଲ୍ଲାପ୍ରଶାସନ ଓ ପୌରନିର୍ବାହୀ ଅଧିକାରୀ ଆଖିବନ୍ଦ କରିଦେବା ଫଳରେ ଆଜି ସଫେଇ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ  ଓ ପୌର କାର୍ଯ୍ୟାଳୟ ପରିସରରେ ଅଳିଆ ଆବର୍ଜନା ଗଦା କରି ଅଭିନବ ଉପାୟରେ ଆନେ୍ଦାଳନ କରିବା ସର୍ବପୂରାତନ ବାରିପଦା ପୌରପରିଷଦର ଗାରିମା ଓ ଐତିହ୍ୟରେ ଆଘାତ ପହଁଞ୍ଚାଇଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜବାସୀଙ୍କ ହକ୍ ହାସଲ ନିମନ୍ତେ ସଦସର୍ବଦା ସଂଗ୍ରାମ ଚଳାଇ ଆସିଥିବା ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ସମ୍ପାଦକ ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର ଓ ଉପସଭାପତି ଏସ କେ ରାଜାଖାନ୍, ମୁକ୍ତିକାନ୍ତ ଦତ୍ତ, ଏମଡ଼ି ଇସ୍ରାଏଲ ପ୍ରମୁଖ ଏକ ପ୍ରତିଧି ମଣ୍ଡଳୀ ପୌରନିର୍ବାହୀ ଅଧିକାରୀ ଶ୍ରୀଦାଶଙ୍କୁ ସାକ୍ଷାତ କରି ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଶ୍ରୀଦାଶ ସଫେଇ କାର୍ଯ୍ୟ ଟେଣ୍ଡର ନେଇଥିବା ଠିକା ସଂସ୍ଥା ନାମରେ ଆଜି ନୋଟିସ ଜାରି କରିବା ସହ ପୌରପରିଷଦର ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେନାର ପ୍ରତିନିଧି ମଣ୍ଡଳୀଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । 

 

Leave A Reply

Your email address will not be published.