“ମହେନ୍ଦ୍ର-ତନୟା” ନଦୀରେ ବୋଇତ-ବନ୍ଦାଣ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସଂସ୍କୃତି ସମୃଦ୍ଧ ଓଡ଼ିଆ ଜାତିର ପାରମ୍ପରିକ ଗଣ-ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ-ବନ୍ଦାଣ ତଥା ଡଙ୍ଗା-ଭସାଣି କାର୍ଯ୍ୟକ୍ରମ ସମଗ୍ର ଗଜପତି ଜିଲ୍ଲାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

      କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠ ତଥା ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା ପବିତ୍ର ପୁଣ୍ୟତୋୟା “ମହେନ୍ଦ୍ର-ତନୟା” ନଦୀରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତି ଅଞ୍ଚଳବାସୀଙ୍କ  ଦ୍ଵାରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

     ଏହି ଅବସରରେ ମଧ୍ୟରାତ୍ରୀରୁ  ସକାଳ ପ୍ରାୟ ୮ ଟା ପର୍ଯ୍ୟନ୍ତ ଉଭୟ ରାଜ୍ୟ ସୀମାନ୍ତବର୍ତ୍ତି ପାରଳାଖେମୁଣ୍ଡି ଓ ପୁରୁଣାପାଟନାମ୍  ସହର ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ଅଞ୍ଚଳବାସୀ ମହେନ୍ଦ୍ର-ତନୟାକୁ ଆସି ନଦୀରେ ବୁଡ଼ ପକାଇ   ନଦୀର ବିଭିନ୍ନ ସ୍ଥାନରେ ଥିବା ତୁଳସୀ ଚଉରା ଓ ନଦୀବାଲି ସ୍ଥାପନ କରି ଦୀପ ହୁଳହୁଳି ଦେଇ ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ଡଙ୍ଗା ଭସାଣି କରିଥିଲେ ।

     ଡଙ୍ଗା-ଭସାଣି କାର୍ଯ୍ୟ ସମ୍ପନ୍ନ ହେବା ପରେ ଫେରିବା ବାଟରେ ବିଭିନ୍ନ ମନ୍ଦିର ଓ ମଠ ଗୁଡିକରେ ଠାକୁର ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଠାକୁରଙ୍କ ଆଳତି ଦର୍ଶନ ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ସକାଳ ୧୦ ଟା ପର୍ଯ୍ୟନ୍ତ ଲାଗିରହିଥିଲା ।              

      ସେହିଭଳି  ଭଗବାନ କାର୍ତ୍ତିକଙ୍କ ମନ୍ଦିର ଓ କାର୍ତ୍ତିକ ପୂଜା ମଣ୍ଡପ ଠାରେ ମଧ୍ୟ ଠାକୁର ଓ ଆଳତି ଦର୍ଶନ ପାଇଁ  ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା ।

     ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଥିବା “ଶ୍ରୀ ରାଧାକୃଷ୍ଣ” ମଠ ଓ ମନ୍ଦିର ଗୁଡିକରେ “ହରିନାମ-ସଂକୀର୍ତ୍ତନ” ତଥା ଅଷ୍ଠ-ପ୍ରହର କାର୍ଯ୍ୟକ୍ରମ ଲାଗିରହିଛି ।

      ଏତେ ସବୁ ଭକ୍ତି-ଭାବ ପୂର୍ଣ୍ଣ କାର୍ଯ୍ୟକ୍ରମ ଲାଗି ରହିଥିବା ଯୋଗୁଁ ସମଗ୍ର ପାରଳାଖେମୁଣ୍ଡି ସହର ଏକ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି ହୋଇପଡିଛି ।

    ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ପବିତ୍ର ମହେନ୍ଦ୍ର-ତନୟା ନଦୀ ସମେତ  ସହରର ବିଭିନ୍ନ ପୋଖରୀ ଓ ସାଗରରେ  ବୋଇତ-ବନ୍ଦାଣ ତଥା ଡଙ୍ଗା-ଭସାଣି ବେଳେ  ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବା ପ୍ରତି ଦୃଷ୍ଟି ଆଗରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାଧ୍ୟାନରେ ବ୍ୟାପକ ଭାବେ ବିଭିନ୍ନ ସ୍ଥାନରେ ପୋଲିସ ପହରାର କଡାକଡି ବ୍ୟବସ୍ଥା କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ପାଇଁ  ସଜାଗ ହୋଇ ରହିଥିଲା । 

 

Leave A Reply

Your email address will not be published.