କୃଷକମାନଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରୁ କେନ୍ଦ୍ର : ବିଜୟ 

0

 

କୃଷି ପ୍ରଧାନ ଓଡିଶା ପାଇଁ କେନ୍ଦ୍ର ସରକାର କଣ କରିଛି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ 

ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କେବଳ ଭେଳିକି, କାର୍ଯ୍ୟକାରିତା ସନ୍ଦେହରେ 

02-03-18-bijay.jpg - 114.10 kB

ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ଥିବା କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ ଘରୋଇ ଆଞ୍ଚଳିକ ଟିଭି ଚାନେଲ୍‍ କାର୍ଯ୍ୟକ୍ରମରେ ଯୋଗଦେଲା ବେଳେ କୃଷକମାନଙ୍କୁ ଯେପରି ଦିନରେ ଲଣ୍ଠନ ଦେଖାଇବାକୁ ଉଦ୍ୟମ କରିଛନ୍ତି, ତାହା ବନ୍ଦ କରନ୍ତୁ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ଦୁଇପଟେ ଧାର ଥିବା ଛୁରୀ ଭଳି ସେ ଗୋଟିଏ ପଟେ ଚାଷୀ ଓ ଚାଷର ଉନ୍ନତି ପାଇଁ ସଂଘୀୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଲା ବେଳେ କେନ୍ଦ୍ର ଏ ଦିଗରେ ଓଡ଼ିଶା ତଥା ସାରା ଦେଶର ଚାଷୀମାନଙ୍କ ଓ ଚାଷର ଉନ୍ନତି ଲାଗି କ’ଣ କରିଛି ତାହା କହିନାହାନ୍ତି । ବରଂ ବଜେଟ୍‍ ଆଗତ ହେଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲି କହିଥିଲେ, ଚାଷୀଙ୍କୁ ଫସଲ ଉତ୍ପାଦନ  ଖର୍ଚ୍ଚର ଦେଢ଼ଗୁଣା ଏମ୍‍ଏସ୍‍ପି ଦିଆଯିବ । ଅଥଚ ଏହାର ମୂଲ୍ୟ ନିର୍ଦ୍ଧାରଣ କେମିତି ହେବ, ସେ ସଂପର୍କରେ କିଛି ସ୍ପଷ୍ଟ କରିନଥିଲେ । ସେପରି ସ୍ଥଳେ ପୁନର୍ବାର କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ଠିକ୍‍ ନୁହେଁ ବୋଲି ଭୁବନେଶ୍ୱରରେ କହିବା ପରେ କେନ୍ଦ୍ର ନିଷ୍ପତ୍ତି କାର୍ଯ୍ୟକାରୀ ହେବା ନେଇ ସନ୍ଦେହ  ସୃଷ୍ଟି ହୋଇଛି । ଶ୍ରୀ ଶେଖାୱତ ମଧ୍ୟ ଯେଉଁ ପ୍ରସଂଗରେ କହୁଥିଲେ, ସେଥିରେ ଚକଡ଼ା ପୋକ କଥା ଜୋର ଜବରଦସ୍ତ ଉଠାଇଛନ୍ତି, ଯାହା ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ଏହାର ମୂଳ ଲକ୍ଷ୍ୟ ।

ଶ୍ରୀ ଶେଖାୱତ ଯଦି କହୁଛନ୍ତି ଯେ ସଂଘୀୟ ସହଯୋଗରେ କୃଷି ଓ କୃଷକଙ୍କ ବକାଶ ଘଟିବ, ତେବେ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏ ରାଜ୍ୟର କୃଷି ଓ କୃଷକଙ୍କ ଉନ୍ନତି ଲାଗି କେନ୍ଦ୍ର ସରକାର କି କି ନିର୍ଦ୍ଧିଷ୍ଟ ଯୋଜନା କରିଛନ୍ତି? ରାଜ୍ୟର କୃଷି କ୍ଷେତ୍ରରେ ତଦ୍ଧ୍ୱାରା କେତେ ଉନ୍ନତି ଘଟିଛି ଓ ଚାଷୀମାନଙ୍କ ଆୟ କେତେ ବଢ଼ିଛି, ସେ ସଂପର୍କରେ କେନ୍ଦ୍ର ମନ୍ତ୍ରୀ କିଛି କହିଲେନି କାହିଁକି? ସେ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି, କୌଣସି ଗୋଟିଏ ରାଜ୍ୟ ପାଇଁ ଏମ୍‍ଏସ୍‍ପି ବୃଦ୍ଧି କରିହେବ ନାହିଁ । ସେପରି ନହେଲେ ଏହି ସମସ୍ୟାର ସମଧାନ ପନ୍ଥା କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି କାହିଁକି? ଦୀର୍ଘବର୍ଷ ଧରି ବିଜେଡି ପକ୍ଷରୁ କେନ୍ଦ୍ର ନିକଟରେ ୟୁପିଏ ଓ ଏନ୍‍ଡିଏ ମେଣ୍ଟ କ୍ଷମତାରେ ଥିବାବେଳେ ଏକ ସମାନ ଦାବି କରାଯାଉଛି ଓ ଆଜି ମଧ୍ୟ ସେହି ଦାବିକୁ ଓଡ଼ିଶାବାସୀ, ରାଜ୍ୟ ସରକାର ଓ ବିଜେଡି ବାରମ୍ବାର ଦୋହରାଇ ଆସୁଛନ୍ତି । ତା’ହେଲା ଓଡ଼ିଶା ଏକ ଦରିଦ୍ର ରାଜ୍ୟ ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ତାଲିକାଭୁକ୍ତ କରାଯାଉ । ଯଦି ମନ୍ତ୍ରୀ କହୁଛନ୍ତି, ଏମ୍‍ଏସ୍‍ପି ବଢ଼ିବା ବିକଳ୍ପ ନୁହେଁ ଓ ଚାଷୀ ଓ ଚାଷର ଉନ୍ନତି ଲାଗି କେନ୍ଦ୍ରର ସହଯୋଗ ଜରୁରୀ, ତେବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଅନ୍ତର୍ଭୁକ୍ତ କଲେ ଏହି ସମସ୍ୟାଗୁଡିକର ସମାଧାନର ପନ୍ଥା ଖୋଲିପାରନ୍ତା । କେନ୍ଦ୍ର ମନ୍ତ୍ରୀ ଏହା କହିବାକୁ ଡରୁଛନ୍ତି କାହିଁକି?

ଚକଡ଼ା ପୋକ କ୍ଷେତ୍ରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଯାହା କହିଛନ୍ତି, ତାହା ଯଦି ସତ ହୋଇଥାଏ, ତେବେ ଭୁଲ ନିଶ୍ଚିତ ଭାବେ କେନ୍ଦ୍ର ନିକଟରେ ରହିଛି । କେନ୍ଦ୍ର ସରକାର ଆର୍ଥିକ  ଦୃଷ୍ଟିକୋଣରୁ ଓଡ଼ିଶା ଭଳି ଦୁର୍ବଳ ରାଜ୍ୟଗୁଡିକ କୃଷି ପ୍ରଧାନ ହୋଇଥିବାରୁ ଏହିସବୁ ରାଜ୍ୟର ଅନଭିଜ୍ଞ କୃଷକମାନଙ୍କୁ ଆଧୁନିକ କୃଷି ସଂପର୍କରେ, ବିଶେଷତଃ ଧାନଗଛରେ ପୋକ ଲାଗିଲେ ଔଷଧ ସିଞ୍ଚନ ପ୍ରକ୍ରିୟା ସଂପର୍କରେ ତାଲିମ ଦେବା ନିମନ୍ତେ ଅତିକମ୍‍ରେ ୯୦ ପ୍ରତିଶତ ଅର୍ଥ ଯୋଗାଇବା ଆବଶ୍ୟକ । ଦେଶରେ ଆହାର ଯୋଗାଉଥିବା କୃଷକମାନଙ୍କ ପିଛା କୌଣସି ଯୋଜନା ବା ତାଲିମ ବାବଦ ଖର୍ଚ୍ଚର ୯୦ ପ୍ରତିଶତ କେନ୍ଦ୍ର ଦେବା ଦୋଷାବହ ନୁହେଁ । ତା’ନକରି ଓଲଟା ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସଂପୂର୍ଣ୍ଣ ଉଦ୍ଦେଶ୍ୟ  ମୂଳକ । କେନ୍ଦ୍ର ସରକାର ସବୁ ରାଜ୍ୟର ବିକାଶ ଲାଗି ଉଦ୍ଧିଷ୍ଟ । ତେଣୁ କେନ୍ଦ୍ର କୃଷିମନ୍ତ୍ରୀ ପ୍ରଥମେ ଓଡ଼ିଶାର କୃଷି କ୍ଷେତ୍ରରେ ଉନ୍ନତି ଓ କୃଷକର ଆୟ ବୃଦ୍ଧି ଲାଗି କିପରି ସ୍ୱତନ୍ତ୍ର ଯୋଜନା କରିବେ, ସେ ବିଷୟରେ କହିଲେ ତଦ୍ଧ୍ୱାରା କୃଷକ ସମାଜର ଉନ୍ନତି ସାଧନ ହୋଇପାରନ୍ତା ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।।

Leave A Reply

Your email address will not be published.