ଲାଞ୍ଚ ଖିଆରେ ଭାଗ ଥିଲେ, ଏବେ ଜେଲ ଦଣ୍ଡରେ ବି ସ୍ୱାମୀସ୍ତ୍ରୀ ଭାଗ 

0

 ଲାଞ୍ଚୁଆ ପ୍ରଧାନ ଶିକ୍ଷୟତ୍ରୀ ସହିତ ସ୍ୱାମୀଙ୍କୁ ଜେଲ ଓ ଜୋରିମାନା

ବାରିପଦା/dillip mohanty  – ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ବିଶୋଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ମାର୍ଣ୍ଡିଙ୍କ ସହିତ ତାଙ୍କ ସ୍ୱାମୀ ମଧୁ ସୂଦନ ମୁର୍ମୁଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଦୁର୍ନୀତି ନିରୋଧ ଆଇନର ସେକ୍ସନ ୭- ୧୩(୧)(ଡ଼ି) ଅନୁସାରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳାଙ୍କୁ  ୧ ବର୍ଷ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥ ଦଣ୍ଡ ଓ ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ତାଙ୍କ ସ୍ୱାମୀ ମଧୁସୂଦନଙ୍କୁ ୬ ମାସ କାରାଦଣ୍ଡ, ୩ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି ।

 ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୨ରେ ବିଶୋଇ ଥାନା ଅନ୍ତର୍ଗତ ଡ଼ୁମୁରିଆ ଗ୍ରାମର ଲକ୍ଷ୍ମଣ ଲୋହାରଙ୍କ ନାତୁଣୀ ବିଶୋଇ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ମାତ୍ର ବିଦ୍ୟାଳୟର ରେଜିଷ୍ଟରରେ ନାତୁଣୀ ପାର୍ବତୀ ଲୋହାରଙ୍କର ଠିକଣାରେ ଭୂଲ ରହିଯାଇଥିବାରୁ ଲକ୍ଷ୍ମଣ ତାହା ସଂଶୋଧନ କରାଇବା ନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ମାର୍ଣ୍ଡିଙ୍କୁ ସାକ୍ଷାତ କରିବାରୁ ଏଥି ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ କଥା ୩ ହଜାରରେ ଛିଣ୍ଡି ଥିଲା । ମାତ୍ର ଲକ୍ଷ୍ମଣ ଏହି ଲାଞ୍ଚୁଆ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ ଭିଜିଲାନ୍ସ ସହିତ ମିଶି ଯୋଜନା ପ୍ରସ୍ତୁତ କରି ୨୦୧୨ ମାର୍ଚ୍ଚ ୩ରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ମାର୍ଣ୍ଡି ସାକ୍ଷାତ କରିବାରୁ ଟଙ୍କା ତାଙ୍କର ସ୍ୱାମୀ ମଧୁସୂଦନ ମୁର୍ମୁଙ୍କୁ ଦେବା ନିମନ୍ତେ କହିଥିଲେ ଓ ଲକ୍ଷ୍ମଣ ଶେଷରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ  ଭିଜିଲାନ୍ସରୁ ନେଇଯାଇଥିବା ରଙ୍ଗ ବୋଳା ୩ ହଜାର ଟଙ୍କା ଦେଇଥିଲେ । ଏହା ପରେ ଭିଜିଲାନ୍ସ ଅତର୍କିତ ଭାବେ ଚଢ଼ାଉ କରି ରଙ୍ଗ ବୋଳା ଟଙ୍କା ଜବର କରିବା ସଂଗେସଂଗେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳାଙ୍କ ସହିତ ତାଙ୍କର ସ୍ୱାମୀ ମଧୁସୂଦନ ମୁର୍ମୁଙ୍କୁ ରଙ୍ଗେ ହାତରେ ଗିରଫ କରିଥିଲେ ଏବଂ ତାଙ୍କ ନାମରେ ଭିଜିଲାନ୍ସରେ କେଶ ନଂ ୮/୦୨.୦୩.୨୦୧୨ରେ ମାମଲା ରୁଜୁ କରାଯାଇଥିଲା । ଆଜି ୨୩ ଫେବୃଆରୀ ଶୁକ୍ରବାର ଉକ୍ତ ଟ୍ରାପ ମାମଲାରେ ରହିଥିବା ସମସ୍ତ ସାକ୍ଷୀମାନଙ୍କର ବୟାନ ଓ ପ୍ରମାଣପତ୍ରକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.