ପିଲାଙ୍କ ହସ ଯେଉଁଠି , ମନ୍ଦିର, ମସଜିଦ୍‍ ଓ ଗୀର୍ଜା ସେଇଠି 

0

କିସ୍‍ ପରିଦର୍ଶନ କଲେ କୈଳାଶ ସତ୍ୟାର୍ଥୀ

ଭୁବନେଶ୍ୱର : ଶାନ୍ତି ନୋବେଲ ବିଜେତା, ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ବଚପନ୍‍ ବଚାଓ ଆନ୍ଦୋଳନର ପ୍ରତିଷ୍ଠାତା  କୈଳାଶ ସତ୍ୟାର୍ଥୀ ସସ୍ତ୍ରୀକ ଶୁକ୍ରବାର କିସ୍‍ ଓ କିଟ୍‍ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଶ୍ରୀ ସତ୍ୟାର୍ଥୀ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ବୁଲିବା ସହ କିସ୍‍ର ବିଭିନ୍ନ ବିଭାଗ ବୁଲି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ କିସ୍‍ର ୧୭ହଜାର ଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ସେ କହିଲେ, କିସ୍‍ର ୧୭ହଜାର ଛାତ୍ରୀଙ୍କ ମୁହଁରେ ହସ ଦେଖି ମୁଁ ବେଶ ଆନନ୍ଦିତ । ପିଲାଙ୍କ ହସ ଯେଉଁଠାରେ ଥାଏ, ସେଠାରେ ମନ୍ଦିର, ମସଜିଦ୍‍ ଓ ଗୀର୍ଜା ମଧ୍ୟ ସ୍ଥାନ ପାଇଥାଏ । ତୁମମାନଙ୍କୁ କିସ୍‍ ଭଳି ଏକ ସୁନ୍ଦର ଓ ବିରାଟ ଅନୁଷ୍ଠାନ  ମିଳିଛି । ଗ୍ରାମାଞ୍ଚଳର ପିଲାମାନେ ଶିକ୍ଷା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ତୁମେମାନେ କିସ୍‍ ଭଳି ସୁଯୋଗ ପାଇଥିବାରୁ ଏହାର ସୁବିନିଯୋଗ କରିବା ଉଚିତ । ଏଠାରୁ ଶିକ୍ଷାଗ୍ରହଣ କରି ତୁମେମାନେ ସମଗ୍ର ବିଶ୍ୱର ପିଲାମାନେ ଯେଭଳି ଶିକ୍ଷା ପାଇ ପାରିବେ ସେ ଦିଗରେ ଚେଷ୍ଟା କରିବା ଉଚିତ । ବିକାଶର ମୂଳ ମନ୍ତ୍ର ହେଉଛି ଶିକ୍ଷା । ଶିକ୍ଷା କେବଳ ଜନଜାତି ପିଲାଙ୍କ ବିକାଶ ନୁହେଁ ସମଗ୍ର ବିଶ୍ୱର ବିକାଶ ପାଇଁ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ସତ୍ୟାର୍ଥୀଙ୍କୁ ସ୍ୱାଗତ କରିବା ସହ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ କହିଲେ, କୈଳାଶ ସତ୍ୟାର୍ଥୀଙ୍କ ପରିଦର୍ଶନ ଦ୍ୱାରା କିସ୍‍ର ଛାତ୍ରଛାତ୍ରୀମାନେ ବେଶ ଉଦ୍‍ବୁଧ ଓ ଅନୁପ୍ରାଣିତ ହେବେ । କିସ୍‍ ପରିଦର୍ଶନ କରିଥିବାରୁ ଶ୍ରୀ ସାମନ୍ତ, ଶ୍ରୀ ସତ୍ୟାର୍ଥୀଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍‍ର ସଂପାଦକ ଆର ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟ  ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.