ଭୁବନେଶ୍ୱର/ବିଜେପୁର, ତା.୨୦/୦୨: ବିଜେପୁର ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜର ପରାଜୟ ଆସନ୍ନ ଜାଣି ଭୟଭୀତ ହୋଇ ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରିବା ସହ ଗଣତନ୍ତ୍ରର ନ୍ୟୁନତମ ଶାଳିନତାକୁ ଭୁଲିଯାଇଛି ବୋଲି ଆଜି ବିଜେପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଶାସକ ବିଜେଡି ଗାଇସିଲେଟ ବ୍ଲକରେ ଥିବା ବିଜେପି ଦଳୀୟ କାର୍ଯ୍ୟାଳୟରେ ବିନା କାରଣରେ ପୋଲିସ ଲଗାଇ ଚଢାଉ କଲେ । କିଛିବି ବାହାରିଲା ନାହିଁ । ବିଜେପି ଦଳର ଜଣେ ନାରିସ୍ଥ ନେତା ଶିରିଷ ବହିଦାରଙ୍କ ଘରେ ବିନା ସର୍ଚ ୱାରେଂଟରେ ପୋଲିସ ଖାନତଲାସ କଲା । ହେଲେ କିଛି ପାଇଲେ ନାହିଁ ।
ସେହିପରି ପୋଲିସ ମଧ୍ୟ ଓମ ପ୍ରକାଶ ଅଗ୍ରଓାଲ ଏବଂ ତାଙ୍କ ବାପାଙ୍କ ଠାରୁ ଜବତ ହୋଇଥିବା ଟଙ୍କାକୁ ସେମାନଙ୍କ ଉପରେ ଚାପ ପକାଇ ବାଧ୍ୟ କରୁଛି କହିବାକୁ ଯେ ଏହି ଟଙ୍କା ହେଉଛି ବିଜେପି ଟଙ୍କା । ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାର ଉତ୍ପତି ଓ ଗନ୍ତବ୍ୟ ସ୍ଥଳ ସମ୍ବନ୍ଧରେ ବିନା ତଦନ୍ତରେ ସ୍ଥାନୀୟ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ ଲାଗିବା ପାଇଁ ଦେଇଥିବା ରିପୋର୍ଟ ଓ ବୟାନ ସ୍ପଷ୍ଟ କରୁଛି କି ଜିଲ୍ଲା ପୋଲିସ ଏବେ ବିଜେଡିର ନିର୍ବାଚନ ଜିତାଇବାର ଦାୟିତ୍ୱ ନେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।