ମାଗଣା ଚିକିତ୍ସା ଗଲା ଚୁଲୀକୁ, ଆଦିବାସୀ ରୋଗୀ ଚିକିତ୍ସା ପାଇଁ ଗଣିଲେ ୬ଶହ ଟଙ୍କା

ଆନନ୍ଦପୁର (ଜିତେନ୍ଦ୍ର ସାହୁ): ଯକ୍ଷ୍ମା ବା ଟିବି ଭଳି ଏକ ସମ୍ବେଦନଶୀଳ ରୋଗର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ଯୋଜନା । ଏପରିକି ଘରକୁ ଯାଇ ରୋଗର ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିବା ସରକାର ବି ଜ୍ଞାପନ ଜରିଆରେ ରଗୀ ମାନଙ୍କୁ ସଚେତନ କରାଉଛନ୍ତି । କିନ୍ତୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ସରକାରଙ୍କ ଯକ୍ଷ୍ମା ନିରାକରଣ ଯୋଜନା ଫେଲ ମାରିଥିବା ପରିଲକ୍ଷିତ ହୋଇଛି । ଆନନ୍ଦପୁର ଉପଖଣ୍ଡଚିକିତ୍ସାଳୟରେ ସ୍ୱତନ୍ତ୍ର ଯକ୍ଷ୍ମା ୱାଡର଼୍ ଗଠନ କରାଯାଇ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାକୁ ସେମାନଙ୍କ ଘରକୁ ଯାଇ ତଦାରଖ ପାଇଁ ସୁପରଭାଇଜର ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । କିନ୍ତୁ କେତେକ ଲାଂଚଖୋର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯକ୍ଷ୍ମା ନିରାକରଣ ଯୋଜନା ଏବେ ବାଟବଣା ହୋଇଛି । ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଂଚାୟତ ଓସ୍ତପୁରା ଗାଁର ଜଣେ ଆଦିବାସୀ ବୃଦ୍ଧ ଯକ୍ଷ୍ମା ରୋଗୀଙ୍କ ଠାରୁ ପ୍ରାଥମିକ ଚିକିତ୍ସା ପାଇଁ ୬ଶହ ଟଙ୍କା ଲାଂଚ ନିଆଯିବା ଘଟଣାରୁ ଏହା ସ୍ପଷ୍ଟ ଅନୁମେୟ ।
ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ଜଣେ ଗରିବ ଆଦିବାସୀ ବୃଦ୍ଧ ହେଉଛନ୍ତି ଓସ୍ତପୁରା ଗାଁର ଶ୍ୟାମ ସୁନ୍ଦର ଦାଶ(୫୧) । ଦୀର୍ଘଦିନ ହେବ ଅସୁସ୍ଥ ରହି ଗତ ଜାନୁଆରୀ ମାସରେ ସେ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ତାଙ୍କୁ ବିଭିନ୍ନ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ଯକ୍ଷ୍ମା ୱାଡର଼୍ରେ କେହି କର୍ମଚାରୀ ନଥାଇ ସେଠାରେ ତାଲା ଝୁଲୁଥିବାରୁ ସେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଂଚିତ ହୋଇଥିଲେ । ଏପରିକି ରୋଗ ପରୀକ୍ଷା ପାଇଁ ଏକ୍ସରେ ମଧ୍ୟ ତାଙ୍କୁ ଘରୋଇ ପାଥୋଲାବରେ କରିବାକୁ ଡାକ୍ତରଖାନାର କେତେକ କର୍ମଚାରୀ ପରାମର୍ଶ ଦେଇଥିଲେ । ତେଣୁ ଶ୍ୟାମସୁନ୍ଦର ନିକଟରେ ଥିବା ଏକ ଘରୋଇ ପାଥୋଲାବରେ ୨ଶହ ଟଙ୍କା ଦେଇ ଏକ୍ସରେ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ତାଙ୍କୁ ଯକ୍ଷ୍ମା ରୋଗ ହୋଇଥିବା ଡାକ୍ତର ଜାଣିବାକୁ ପାଇ ଡାକ୍ତରଙ୍କ ପରାମର୍ଶରେ ଗାଁ କୁ ଫେରି ଆସା କର୍ମୀଙ୍କ ସହ ଯୋଗାଯୋଗ କରିଥିଲେ । ଉକ୍ତ ଗାଁର ଆସା କର୍ମୀ ପ୍ରମିଳା ମହାପାତ୍ରଙ୍କ ସହ ଔଷଧ ଆଣିବା ପାଇଁ ସେ କେଶଦୂରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଥିଲେ । ତେବେ ସେଠାରେ ଅଂଜନା ନାମକ କେହି ଜଣେ ମହିଳା କର୍ମଚାରୀ ସରକାରୀ ଯକ୍ଷ୍ମା ଔଷଧ ଦେବା ପାଇଁ ଆସା କର୍ମୀଙ୍କ ଜରିଆରେ ଶ୍ୟାମ ସୁନ୍ଦରଙ୍କୁ ଟଙ୍କା ମାଗିଥିଲେ । ବାଧ୍ୟ ହୋଇ ଶ୍ୟାମସୁନ୍ଦର ୪ଶହ ଟଙ୍କା ଦେଇ ଔଷଧ ଆଣିଥିବା କହିଛନ୍ତି । ଏପରିକି ସଂପୃକ୍ତ ମହିଳା କର୍ମଚାରୀ ଟଙ୍କା ନେଇଥିବା ଖୋଦ୍ ଆସା କର୍ମୀ ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ସଂପୃକ୍ତ ମହିଳା କର୍ମଚାରୀ ଟଙ୍କା ନେବା କଥାକୁ ଅସ୍ୱୀକାର କରିବା ସହ ସେଭଳି କୌଣସି ରୋଗୀଙ୍କୁ ସେ ଚିହ୍ନି ନଥିବା ସଫେଇ ଦେଇଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟ ସୁପରିଟେଣ୍ଡେ ଡାକ୍ତର ଧନେଶ୍ୱର ସେଠିଙ୍କୁ ପଚାରିବାରୁ କିଛି ଦିନ ପାଇଁ ଏକ୍ସରେ ମେସିନ ଖରାପ ରହିବାରୁ ଏଭଳି ବ୍ୟତିକ୍ରମ ହୋଇଥାଏ ପାରେ ବୋଲି ସେ ସଫେଇ ଦେଇଛନ୍ତି ।