ବିଜେପି ସରକାରର ବୈମାତୃକ ମନୋଭାବର ଉଚିତ୍ ଜବାବ  ଜିଲ୍ଲାବାସୀ : ସରୋଜିନୀ 

0

ରେଳ ବଜେଟରେ ଉପେକ୍ଷିତ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ

ବାଙ୍ଗିରିପୋଷି – ଗୋରୁମହିଷାଣି ରେଳ ଲାଇନକୁ ଅବହେଳା, ବୁଢାମରା-ଚକୁଳିଆ ରେଳପଥ ନିଖୋଜ  

ବାରିପଦାରୁ ଦିଲ୍ଲୀପ ମହାନ୍ତି- କେନ୍ଦ୍ର ବଜେଟରେ ମୟୂରଭଞ୍ଜର ବହୁ ପ୍ରତିକ୍ଷିତ ବାଙ୍ଗିରିପୋଷି – ଗୋରୁମହିଷାଣି ନୂତନ ରେଳ ଲାଇନ ନିର୍ମାଣ, ବୁଢାମରା – ଚାକୁଳିଆ ନୂତନ ରେଳ ଲାଇନ ନିର୍ମାଣ ଆଦି ଦାବୀ ପାଇଁ ବଜେଟରେ ଅର୍ଥ ବରାଦ କରାଯାଇ ନ ଥିବାରୁ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ ଦୁଃଖ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାବାସୀ ଆଉ ଥରେ କେନ୍ଦ୍ର ଅବହେଳାର ଶିକାର ହେଲେ ବୋଲି କହିଛନ୍ତି । ବୁଢାମରା – ଚାକୁଳିଆ ନୂତନ ରେଳ ଲାଇନ ନିର୍ମାଣ ନିମନ୍ତେ ୨୦୦୮-୦୯ ମସିହାରେ ନିଷ୍ପତ୍ତି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ବୁଢାମରା – ଚାକୁଳିଆ ନୂତନ ରେଳ ଲାଇନ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ତେଣୁ ବୁଢାମରା – ଚାକୁଳିଆ ନୂତନ ରେଳ ଲାଇନ ନିର୍ମାଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି । ସେହିପରି ବାଙ୍ଗିରିପୋଷି – ଗୋରୁମହିଷାଣି ନୂତନ ରେଳ ଲାଇନ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ସର୍ଭେ ନିମନ୍ତେ କିଛି ଟଙ୍କାର ଅର୍ଥ ବରାଦ କରି କେନ୍ଦ୍ର ସରକାର ମୟୂରଭଞ୍ଜବାସୀଙ୍କୁ ଭକୁଆ କରିବାକୁ ଉଦ୍ୟମ କରିଛନ୍ତି । ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଜିଲ୍ଲାରେ ରେଳବାଇର ଉନ୍ନତି ପାଇଁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଦାବି ପତ୍ର ଦେଇଛନ୍ତି । ରାଜ୍ୟସଭାରେ ସେ ନିଜର ମତ ମଧ୍ୟ ରଖିଛନ୍ତି କିନ୍ତୁ ତା ପରେ ମଧ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ଏନ.ଡି.ଏ ସରକାର ମୟୂରଭଞ୍ଜବାସୀଙ୍କୁ ଉପେକ୍ଷିତ କରିଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ମୟୂରଭଞ୍ଜବାସୀଙ୍କ ପ୍ରତି ରହିଥିବା ବୈମାତୃକ ମନୋଭାବର ଜିଲ୍ଲାବାସୀ ଉଚିତ୍ ଜବାବ ଦେବେ ବୋଲି ସାଂସଦ ସରୋଜିନୀ ହେମ୍ବ୍ରମ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.