ଦାୟିତ୍ବହୀନ  ପୋଲିସ, ଲୋକଙ୍କ ଜୀବନକୁ ନେଇ ଖେଳ

0

ସତର୍କସୂଚନା ନଦେଇ ପୁଲିସର ଗୁଳିଚାଳନା ଅଭ୍ୟାସ 

ଗୁଳିବାଜି ଯୁବକ ଗୁରୁତ୍ତର , ଉତ୍ତକ୍ତ ଜନସାଧାରଙ୍କ ଦ୍ୱାରା ରାଜପଥ ଅବରୋଧ

ବାରିପଦାରୁ ଦିଲ୍ଲିପ ମହାନ୍ତି – ବାରିପଦା ଲକ୍ଷ୍ମୀପୋଷିସ୍ଥିତ ୫ମ ବାଟାଲିଅନ ପକ୍ଷରୁ ଫେବୃଆରୀ ୯ ଶୁକ୍ରବାର ବାଙ୍ଗିରିପୋଷି ଥାନା ଅଧୀନରେ ରହିଥିବା ବୁଢ଼ାମରା ଟେଷ୍ଟ ରେଞ୍ଜରେ ଗୁଳି ଚାଳନା ତାଲିମ ସହିତ ଅଭ୍ୟାସ ଆରମ୍ଭ ହୋଇଥିଲା । ମାତ୍ର ଏଥି ନିମନ୍ତେ ରେଞ୍ଜ ପରିସରରେ ରହିଥିବା ଗ୍ରାମଗୁଡ଼ିକରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ ସୂଚନା ପୂର୍ବରୁ ଦିଆଯାଇ ନ ଥିଲା । ଫଳରେ କୁଳିଅଣା ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଢାକଟା ପଞ୍ଚାୟତର ମୁଣ୍ଢାବଣି ଗ୍ରାମର ଦିଲ୍ଲୀପ ସିଂଙ୍କ ପୁଅ ଲଚ୍ଛମଣ ସିଂ(୨୯) ତାର ସାଙ୍ଗ ସହିତ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ତାର ପିଠିରେ ଗୁଳି ବାଜିଥିଲା ଏବଂ ସେହି ଗୁଳିବିଦ୍ଧ ଅବସ୍ଥାରେ ତୁରନ୍ତ ଚିକିତ୍ସା ଯୋଗାଇବା  ସହିତ ଶରୀରରୁ ଗୁଳିକୁ ବାହାର କରାଇବା ନିମନ୍ତେ ଆହତ ଲଚ୍ଛମଣଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇ ଥିଲା । ଅପରାହ୍ନ ପ୍ରାୟ ୪ଟା ସମୟରେ ଡ଼ାକ୍ତର ଲଚ୍ଛମଣ ପିଠିରୁ  ଗୁଳି ବାହାର କରାଇବା ନିମନ୍ତେ ଆସ୍ତେ୍ରାପଚାର ଆରମ୍ଭ କରିଥିଲେ । ଏହି ଗୁଳିବାଜିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହି ଦୁର୍ଘଟଣା ନିମନ୍ତେ ପୁଲିସ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିବା ସଂଗେସଂଗେ ଆହତ ଲଚ୍ଛମଣର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ, ପରିବାରର ଜଣେ ସଦସ୍ୟଙ୍କୁ ପୁଲିସ ବିଭାଗରେ ଚାକିରୀ, ଗୁଳି ଚାଳନା ଅଭ୍ୟାସ ପୂର୍ବ ଦିନରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ସୂଚନା ଆଦି କେତେକ ଦାବି ନେଇ ୧୮ ନମ୍ବର ଜାତୀୟ ରାଜପଥକୁ ମୁଣ୍ଢାବଣି ନିକଟରେ ଅବରୋଧ କରିଥିଲେ । ଖବରପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷ ମୁଣ୍ଢାବଣିରେ ପହଁଞ୍ଚି ଆନେ୍ଦାଳନକାରୀମାନଙ୍କୁ ବୁଝାସୁଝା କରାଇଥିଲେ । ମାତ୍ର ସେମାନଙ୍କ ଦାବି ପୂରଣ କରା ନ ଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରି ନ ପାରିବାରୁ ରାଜପଥର ଉଭୟ ପାଶ୍ୱର୍ରେ ଶତାଧିକ ବହୁ ସମୟ ଧରି ଗାଡ଼ି ମୋଟର ଅଟକି ରହିଥିଲା ।

Leave A Reply

Your email address will not be published.