ଏନ୍.ୟୁ.ଜେ(ଆଇ)ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ଓଡିଶା ସାମ୍ବାଦିକ

0

 ଜଗତସିଂହପୁର:(ରମେଶ ମହାନ୍ତି)-ନେସନାଲ୍ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ)ର ଏକ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆନ୍ଧ୍ର ପ୍ରଦେଶର ଅମରାବତୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡିଶାର ସଭାପତି ରବି ରଥ,ସଂପାଦକ ଚିତ୍ତ ସ୍ୱାଇଁ,ଜଗତସିଂପୁର ଜିଲ୍ଲାର ସାଧାରଣ ସମ୍ପାଦକ ନୃସିଂହ ଚରଣ ବାରିକ,ସମ୍ବଲପୁରରୁ ଗଜେନ୍ଦ୍ର ମହାନ୍ତି,ଝାରସୁଗୁଡାରୁ ଜୟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ରାଷ୍ଟ୍ରୀୟ ନେତାଙ୍କୁ ଅବଗତ କରାଇଥିଲେ।ଚଳିତ ମାସ ତିନି ଓ ଚାରି ତାରିଖ ଦିନ ଏହି ବୈଠକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପାଧ୍ୟକ୍ଷ ମନୋଜ ମିଶ୍ର,କୋଷାଧ୍ୟକ୍ଷ ହେମନ୍ତ ବିଷ୍ଣୁ,ପଂଜାବ ଅବତାର ସିଂ, ହିମାଚଳ ପ୍ରଦେଶର ବଲବୀର ସିଂ,ୟୁପି ରୁ ରମେଶ ଜୈନ,ଝାଡଖଣ୍ଡ ରୁ ବି.ପି.ଶର୍ମା,ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ସଂଘ ସଂଯୋଜକ ଉପଳା ଲକ୍ଷ୍ମଣ ପ୍ରମୁଖ ଆଲୋଚନାରେ ଭାଗ ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ରାଷ୍ଟ୍ରୀୟ ମହାସଚିବ ସୁରେଶ ଶର୍ମା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶେଷ ଦିନରେ କ୍ରିଷ୍ନା ନଦୀ ଉପରେ ଏକ ଚଳମାନ ଜାହାଜରେ ଅନ୍ତିମ ଓ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏନ୍.ୟୁ.ଜେ(ଆଇ)ର ସାଂଗଠନିକ ସୁଦୃଢ଼ତା,ଆର୍ଥିକ ବିକାଶ ଓ ସାମ୍ବାଦିକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମୁହିକ ପ୍ରଚେଷ୍ଟା ଜାରି ରଖିବାକୁ ରାଷ୍ଟ୍ରୀୟ ନେତାଏ ପରାମର୍ଶ ଦେଇଥିଲେ।ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୀତତାପ ନିୟନ୍ତ୍ରିତ ବସରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧି ମାନଙ୍କୁ ଆନ୍ଧ୍ର ପ୍ରଦେଶର ଦର୍ଶନୀୟ ସ୍ଥାନକୁ ବୁଲାଇ ନିଆଯାଇଥିଲା।

Leave A Reply

Your email address will not be published.