୧ ଟ୍ରାକ୍ଟର ଜବତ, ଖସିଗଲେ ମାଫିଆ
ଜଗତସିଂହପୁର(ରମେଶ ମହାନ୍ତି)- ନାଉଗାଁ ବ୍ଳକରେ ହେଉଥିବା ବିଭିନ୍ନ ବେଆଇନ କାର୍ଯ୍ୟ ପ୍ରତି ରାଜସ୍ୱ ବିଭାଗ ଆଖି ବୁଝି ଦେଇଥିବା କୁହାଯାଉଛି। ବିଭାଗୀୟ ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଦିର୍ଘ ଦିନ ଧରି ନିରବ ଦ୍ରଷ୍ଠା ସାଜିଛନ୍ତି । ଫଳରେ ସକ୍ରିୟ ହୋଇ ଉଠିଛନ୍ତି ମାଫିଆମାନେ ବିଭିନ୍ନ ସରକାରୀ ସ୍ଥାନରୁ ସକାଳ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେଆଇନ ଭାବେ ବାଲି ଲୁଟିଚାଲିଥିବା ଜଣାପଡିଛି। ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ଘଟୁଛି । ଅଭିଯୋଗ ପରେ ମଧ୍ୟ ରାଜସ୍ୱ ବିଭାଗ ଅଧିକାରୀ କ’ଣ ପାଇଁ ଚୁପ ରହୁଛନ୍ତି ଏନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଏହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ଚଡାଉ କରାଯାଇ ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ନିଜର ପାରିବାପଣିଆ ଦେଖେଇବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। କିନ୍ତୁ ଖସି ଯାଇଛନ୍ତି ବାଲି ମାଫିଆଙ୍କ ସହ ଅନ୍ୟ ଟ୍ରାକ୍ଟର । ଏଭଳିସ୍ଥିତି ଦେଖା ଦେଇଛି ନାଉଗାଁ ତହସିଲ ଅଧିନ ଓଷକଣା ପଂଚାୟତର ଭଟଣା ଗ୍ରାମ ନିକଟସ୍ଥ ଭଟଣା ନଦୀ ପଠାରେ । ଏହି ନଦୀର ପଠାରେ ବାଲି ମାଫିଆମାନେ ଦିନ ଦ୍ୱିପ୍ରହର ଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ନଦୀ ପଠାକୁ ତାଡି ବେଆଇନ ଭାବେ ବାଲି ଚାଲାଣ କରୁଥିଲେ । ଏହି ବେଆଇନ ବାଲି ଚାଲାଣକୁ ଗଣାମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ପରେ ସୋମବାର ସଂଧ୍ୟା ସମୟରେ ନାଉଗାଁ ବ୍ଲକ ରାଜସ୍ୱ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଗୋଟିଏ ମାତ୍ର ଟ୍ରାକ୍ଟରକୁ ଜବତ କରାଯାଇଥିଲା । ହେଲେ ବାଲି ମାଫିଆଙ୍କ ସହ ଅନ୍ୟ ଟ୍ରାକ୍ଟର ଗୁଡିକ ଖସି ପଳାଇଯାଇଥିଲେ । ସବୁଠାରୁ ଗୁରୁ୍ତ୍ୱପୂର୍ଣ୍ଣ କଥା ଏହି ନଦୀ ପଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଠି କରାଯାଇଛି । ଏହି ବେଆଇନ ବାଲି ଚାଲାଣ ଫଳରେ ଗ୍ରାମ୍ୟ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେବା ସହିତ ବନ୍ୟା ଆସିଲେ ଗ୍ରାମ ପ୍ରତି ବିପଦ ସୃଷ୍ଟିକୁ ଏଡାଇ ଦିଆଯାଇ ନ ପାରେ । ଅନ୍ୟପଟରେ ଏହି ବାଲିଆ ମାଫିଆ ମାନେ ଆଗକୁ ବର୍ଷା ଦିନ ଥିବାରୁ ଗାଁ ଖେଳ ପଡିଆ ଠାରୁ ଆରମ୍ଭ କରି ମନ୍ଦିର ପ୍ରାଙ୍ଗଣରେ ଶହ ଶହ ବେଆଇନ୍ ବାଲି ଟ୍ରିପ ଗଛିତ ରଖିଥିବା ନେଇ ଚର୍ଚ୍ଚା ଚାଲିଛି। ଏପରିକି ଏହି ବାଲି ବିନା ଟ୍ରାଂଜିଷ୍ଟ ପରିମିଟରେ ଏଠାରୁ ନାଉଗାଁ ବ୍ଳକ ସହିତ ନିକଟସ୍ଥ ପୁରୀ ଜିଲ୍ଲାକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି ।ଏହି ଚଢାଉ ସମୟରେ ରାଜସ୍ୱ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇଥିଲା ଭଟଣା ଖେଳ ପଡିଆରେ ଗଛିତ ହୋଇଥିବା ଶହ ଶହ ଟ୍ରିପ ବାଲି ଉପରେ । କିନ୍ତୁ ବିଭାଗ ପକ୍ଷରୁ ଧର୍ମକୁ ଆଖିଠାର ମାରିବା ସଦୃଶ ଭଳି ମାତ୍ର ଗୋଟିଏ ଟ୍ରାକ୍ଟର ବାଲିକୁ ଜବତ କରି ବିଭାଗୀୟ ଅଧିକାରୀ ନିଜର କାମ ଶେଷ କରି ଦେଇଥିବା ଜଣାଯାଇଛି । ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାଇ ଏହି ବେଆଇନ ଭାବେ ଗଛିତ ଥିବା ବାଲି ଉପରେ ତଦନ୍ତ କରି ବାଲି କାହାର ଏହି ବାଲିରେ ୱାଇ ଫର୍ମ ବ୍ୟବହୃତ ହୋଇଛି କି ନାହିଁ ଏହାର ତଦନ୍ତ କରିବା ପାଇଁ ଦାବି ହୋଇଛି । ଏହି ଚଢାଉ ରାଜସ୍ୱ ନିରୀକ୍ଷକଙ୍କ ସୁପରଭାଇଜର କାଳନ୍ଦି ବେହେରା ଓ ଡେରିକି ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାୟକଙ୍କ ଦ୍ୱାରା କରାଯାଇଥିଲା । ଏସଂର୍ପକରେ ନାଉଗାଁ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ଜବତ ହୋଇଥିବା ଟ୍ରାକ୍ଟର ଠାରୁ ସର୍ବନିମ୍ନ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରାଯିବା ସହିତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ