ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ସୁସ୍ଥ ପରେ ନାଟ ମନ୍ଦିରରେ ତିନି ଠାକୁର

0

ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୂ

ବାରିପଦା(ଦିଲ୍ଲୀପ ମହାନ୍ତି )-ସମଗ୍ର ସୃଷ୍ଟିର ଆଧାର ଜଗତକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମହାପ୍ରଭୂ ଶ୍ରୀଜଗନ୍ନାଥ ଦାରୁ ବ୍ରହ୍ମ ରୂପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରତ୍ୟେକ ଦିନ କିଛି ସମୟ ନିମନ୍ତେ ନିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମାନବ ଗହଣରେ ବିଜେ ହୋଇଥିବାରୁ ମାନବୀୟ ଲୀଳାରେ ତାଙ୍କର ଦୈନନ୍ଦିନ ନୀତି ଓ ପୂଜାର୍ଚ୍ଚନା ପରିଚାଳିତ ହୋଇଆସୁଛି । ପ୍ରାତଃ ସମୟର ନିଦ୍ରାଭଙ୍ଗଠାରୁ ଆରମ୍ଭ ହୋଇ ଦନ୍ତଶୋଧନ, ସ୍ନାନ, ଭୋଜନ ଆଦି ସମସ୍ତ ଆଙ୍ଗିକ କର୍ମଗୁଡ଼ିକ ସମ୍ପାଦିତ ହୋଇଥାଏ ରାତ୍ରି ବିଶ୍ରାମ ପର୍ଯ୍ୟନ୍ତ । ମହାପ୍ରଭୂଙ୍କ ଯାତ୍ରାମାନଙ୍କ ମଧ୍ୟରେ ସ୍ନାନଯାତ୍ରା ଆଦ୍ୟଯାତ୍ରା ଭାବେ ପାଳିତ ହୋଇଥାଏ । ସ୍ନାନଯାତ୍ରା ପରେ ମହାପ୍ରଭୂ ଅସୁସ୍ଥ ହୋଇ ୧୫ ଦିବସ ବ୍ୟାପି ଅଣସର ଗୃହରେ ପ୍ରବେଶ କରିବା ପରେ ବାଉଁଶ ତାଟିର ଆବରଣ ମଧ୍ୟରେ ରହି ଗୋପନରେ ସମସ୍ତ ସେବାକର୍ମ ସମ୍ପନ୍ନ କରାଯାଇଥିଲା । ରାଜବୈଦ୍ୟଙ୍କ ଚିକିତ୍ସା ଓ ଜ୍ଞାତି ପରିଜନଙ୍କ ସେବା ଶୁଶ୍ରୁଷା ପାଇ ସୁସ୍ଥ ହେବା ପରେ ଜୁଲାଇ ୧ ସୋମବାର ରାତି ୮ରେରୁ ୧୦ ମଧ୍ୟରେ ଅଧିବାସ ନୀତି ଆରମ୍ଭ ହୋଇଥିଲା । ଏହି ସମୟରେ ଗୋଟି ପହଣ୍ଡିରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହ ନାଟ ମନ୍ଦିର ବିଜେ ହୋଇଥିଲେ । ବିଜେ ପୂର୍ବରୁ ନାଗରା ଓ ବିଜୟ କାହାଳି ବାଜିବା ପରେ ମନ୍ଦିରର ସିଂହଦ୍ୱାର ଖୋଲିଥିଲା । ମନ୍ଦିର ପରିଚ୍ଛା, ପୁରୋହିତ, ବଡ଼ପଣ୍ଡା, ସମସ୍ତ ସେବାୟତ, ପହଣ୍ଡଆ ଏକତ୍ରିତ ହୋଇ ସିଂହ ଦ୍ୱାର ଦେଇ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ । ମନ୍ଦିର ଭିତରେ ଥିବା ଜୟ ବିଜୟ ସହ ଗଙ୍ଗାଯମୁନା ମୁଖ୍ୟଦ୍ୱାର ଖୋଲି ସମସ୍ତେ ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ମହାପ୍ରଭୂ ପହଣ୍ଡିରେ ନେତ୍ର ମଣ୍ଡପ ସିଂହାସନରେ ବିରାଜମାନ ହୋଇଥିଲେ । ଏହାପରେ ନିର୍ଘଣ୍ଟ ଅନୁଯାୟୀ ରାତି ୮ରୁ ୯ ମଧ୍ୟରେ ଅଧିବାସ ନୀତି ସମ୍ପନ୍ନ ହେବା୍ନ ପରେ ରାତି୍ର ଭୋଗ ଲାଗି ଓ ଶେଷରେ ପହଡ଼ ନୀତି ସମାପନ ହୋଇଥିଲା ।  ସେହିପରି ମଙ୍ଗଳବାର ଅର୍ଥାତ୍ ଜୁଲାଇ ୨ ମଙ୍ଗଳବାରରେ ମହାପ୍ରଭୂଙ୍କ ନେତ୍ରୋତ୍ସବ ପାଳିତ ହେବ । ଉକ୍ତ ଦିବସରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ପୂର୍ବାହ୍ନ ୫.୩୦ରୁ ୬.୩୦ ମଧ୍ୟରେ ତିନି ଚିତ୍ରକରମାନେ ମନ୍ଦିରର ପରିଚ୍ଛା, ପୁରୋହିତ ଓ ପୂଜକମାନଙ୍କ ଗହଣରେ ଶଙ୍ଖ, ଘଣ୍ଟ-ଘଣ୍ଟା ଓ କାହାଳି ବାଦ୍ୟ ମଧ୍ୟରେ ନେତ୍ରଲାଗି ନୀତି ସମ୍ପନ୍ନ କରାଇବା ପରେ ପୂର୍ବାହ୍ନ ୧୦.୩୦ରୁ ୫ଟା ମଧ୍ୟରେ ଠାକୁରମାନଙ୍କ ପ୍ରତିଷ୍ଠା  ଓ ନେତ୍ର ଉତ୍ସବ ପୂଜା ନୀତି , ଅପରାହ୍ନ ୫ରୁ ସନ୍ଧ୍ୟା ୭ ମଧ୍ୟରେ ଅବକାଶ ନୀତି ସମ୍ପନ୍ନ ହେବ । ସେହିପରି ମନ୍ଦିର ପରିଚ୍ଛା ଦୁର୍ଗା ଚରଣ ଜିତ୍ବାବୁ ମହାପ୍ରଭୂଙ୍କ ନିକଟରୁ ଆଜ୍ଞାମାଳ ନେଇ ମନ୍ଦିର ପୁରୁହିତ ଜଗନ୍ନାଥ ନିକଟରୁ ଉତ୍ତରା ନେତକୁ ଦେଉଳ ଉଠାଙ୍କୁ ଦେଇଥିଲେ ଏବଂ ଦେଉଳ ଉଠା ସୁବାସିତ ଚନ୍ଦନ ଜଳ ସିଞ୍ଚନ କରି ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଚଢ଼ି ନୀଳଚକ୍ରରେ  ନେତ ବନ୍ଧନ ପରେ ଜଗମୋହନ ମନ୍ଦିରରେ ନେତ ବାନ୍ଧିବେ । ରାତ୍ରି ସାଢେ଼ ୭ରୁ ୧୧ଟା ମଧ୍ୟରେ ମହାପ୍ରଭୂ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ବେଶକୁ ଦର୍ଶନ କରିବା ନିମନ୍ତେ ଭକ୍ତମାନେ ମଧ୍ୟ ଚାତକପରି ଅନାଇ ବସିଥାନ୍ତି ।  ଷୋଡ଼ଶ ଦିବସରେ ମହାପ୍ରଭୂଙ୍କ ନେତ୍ରୋତ୍ସବ ଅବସରରେ ଧାରଣ କରୁଥିବା ନବଯୌବନ ବେଶକୁ ଦର୍ଶନଲାଭ କରୁଥିବା ଭକ୍ତମାନେ ଭବସାଗରରୁ ପାର ହୋଇ ଶ୍ରୀହରିଙ୍କର ଦେବଦୁର୍ଲଭ ସ୍ଥାନ ଅର୍ଥାତ୍ ବୈକୁଣ୍ଠ ପ୍ରାପ୍ତି ହେଉଥିବାର ବିଶ୍ୱାସ କରାଯାଏ ।
             ସେହିପରି ଜୁଲାଇ ୩ ବୁଧବାର ସକାଳ ୭ରୁ ୧୧ ମଧ୍ୟରେ ଜୀରମାନଙ୍କ ଉଭା ଯାତ୍ରା ବେଶ ଦର୍ଶନ କରିବେ ଭକ୍ତମାନେ । ଜୁଲାଇ ୪ ଗୁରୁବାବାର ପୂର୍ବାହ୍ନ ୮ଟାରୁ ୧୦ଟା ମଧ୍ୟରେ କଳସ ସହିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପ୍ରତିଷ୍ଠା  ହେବା ପରେ ସାଢେ଼ ୧୧ଟା ମଧ୍ୟରେ ଶ୍ରୀଶ୍ରୀମା ଅମ୍ବିକାଠାକୁରାଣୀଙ୍କ ଦାସୀଙ୍କ ଦ୍ୱାରା ରଥ ପ୍ରଦକ୍ଷଣ ସମ୍ପନ୍ନ ହେବ । ଅପରାହ୍ନ ୨ରୁ ୩ଟା ମଧ୍ୟରେ ଚକାଛଡ଼ା, ସାଢେ଼୩ରୁ ୪ ଟା ମଧ୍ୟରେ ପରିଚ୍ଛାଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟ ସମାପନ ହେବା ପରେ ଅପରାହ୍ନ ୪ରୁ ୭ ମଧ୍ୟରେ ତିନି ଠାକୁର ମହାପ୍ରଭୂ ସୁଦର୍ଶନଙ୍କ ସହ ଗୋଟି ପହଣ୍ଡି ବିଜେରେ ବାହାରି ରଥାରୂଢ଼ ହେବେ । ରଥଖଳାରେ ରଥାରୂଢ଼ ହୋଇ ସାରାରାତି ରହିବା ପରେ ଜୁଲାଇ ୫  ଶୁକ୍ରବାର ରଥଟଣା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅପରାହ୍ନ ଅ ଢେ଼ଇରୁ ସାଢେ଼ ୫ ମଧ୍ୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.