ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଆର୍.ବି. ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ପାଟଣାଗଡ଼ ଓ ବେଲପଡ଼ାର ପୂର୍ବତନ ଛାତ୍ରୀ ତଥା ପଦ୍ମପୁର ଉପଖଣ୍ଡର ଡେପୁଟି କଲେକ୍ଟର ଶ୍ରୀମତୀ ଡଲି ମେହେର ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶିଶୁ ମନ୍ଦିରର ଶିକ୍ଷା ଓ ସଂସ୍କାର ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସହାୟକ ହୋଇଥାଏ। ଖେଳକୁଦ ଦ୍ୱାରା ଶାରୀରିକ ଓ ମାନସିକ ଦକ୍ଷତାର ବିକାଶ ହୋଇଥାଏ। ଏଥିସହ ସେ ଶିଶୁ ମନ୍ଦିରରେ ଅଧ୍ୟୟନ ସମୟର ନିଜ ଅନୁଭୂତି ବର୍ଣ୍ଣନା କରି ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାର୍ଗଦର୍ଶନ ଦେବା ସହ କ୍ରୀଡ଼ା ସମାରୋହର ଉଦ୍ଯାପନ ଘୋଷଣା କରିଥିଲେ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବିଦେଶୀ ସାହୁ ଯୋଗଦେଇ କ୍ରୀଡ଼ା ପତାକା ଅବତରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀମତୀ ତପସ୍ୱିନୀ ମେହେର, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ, ସଂକୁଳ ପ୍ରମୁଖ ଡ. ଦ୍ୱାଦଶ କୁମାର ପଧାନ, ପୂର୍ବତନ ସଭାପତି ଶ୍ରୀଯୁକ୍ତ ରୋହିତ କୁମାର ମେହେର, ସଭାପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ ରାଜହଂସ କ୍ରୀଡ଼ା ସମ୍ପର୍କିତ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାତଃ ବନ୍ଦନା କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀଯୁକ୍ତ ସୁରେଶ ରାମଚନ୍ଦାନୀ ଓ ପୂର୍ବଛାତ୍ର ପରିଷଦର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୁଣମଣି ପଟେଲ ଯୋଗଦେଇଥିଲେ।
କ୍ରୀଡ଼ା ସମାରୋହରେ ଶିଶୁମାନଙ୍କ ପାଇଁ ଦୌଡ଼, ଡିଆଁ ଖେଳ, ରିଲେ ରେସ୍, ଅଙ୍କ ଦୌଡ଼, ପୁଚି ଖେଳ, ସାଇକେଲ ଧୀର ଚାଳନା ଓ ମ୍ୟୁଜିକ୍ ଚୌକି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିଶୁ ବାଟିକା ବିଭାଗର କୁନି କୁନି ଶିଶୁମାନଙ୍କ ପାଇଁ ମଧ୍ୟ ମଜାଦାର ଖେଳର ବ୍ୟବସ୍ଥା ହୋଇଥିଲା। ଏଥିସହ ପୂର୍ବତନ ଛାତ୍ର ଓ ଅଭିଭାବକମାନଙ୍କ ପାଇଁ ୧୦୦ ମିଟର ଦୌଡ଼ ଏବଂ ଅଭିଭାବିକାମାନଙ୍କ ପାଇଁ ବାଟି-ଚାମଚ ଖେଳ ଆୟୋଜିତ ହୋଇଥିଲା।
ଏହି ଅବସରରେ ସାମ୍ବାଦିକ ବନ୍ଧୁ, ପୁରାତନ ଛାତ୍ର ସୁନୀଲ ଅଗ୍ରୱାଲ, ସୁଶୀଳ ଅଗ୍ରୱାଲ, ଅଖିଳ ପଟ୍ଟନାୟକ, ରିତେଶ ମେହେର, ଅନ୍ତର୍ଯ୍ୟାମୀ ମେହେରଙ୍କ ସମେତ ବହୁ ଛାତ୍ରଛାତ୍ରୀ, ମାତୃଭାରତୀର ସଭ୍ୟା, ଅଭିଭାବକ ଓ ଅଭିଭାବିକା ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ୪୨ତମ ବାର୍ଷିକ କ୍ରୀଡ଼ା ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା।