ପୋଖରୀରେ ବୁଡ଼ି ୪ ଶିଶୁଙ୍କୁ ଉଦ୍ଧାର କଲେ ଦୁଇ ମହିଳା, ଜଣେ ମହିଳାଙ୍କ ମୃତ୍ୟୁ – ଅଞ୍ଚଳରେ ଶୋକର ଛାୟା

7

ନବରଙ୍ଗ ପୁର/ପାପଡାହାଣ୍ଡି :(ଚନ୍ଦ୍ର ଶେଖର ହରିଜନ) ପୋଖରୀରେ ବୁଡ଼ିଯାଉଥିବା ୪ ଜଣ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୁଇ ମହିଳାଙ୍କ ସାହସିକତା ଯୋଗୁଁ ୪ ଜଣ ଶିଶୁ ନୂଆ ଜୀବନ ପାଇଥିବା ବେଳେ ଜଣେ ମହିଳାଙ୍କୁ ହରାଇବାକୁ ପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ରଜାମାଟୁ ଗ୍ରାମର ୪ ଜଣ ଶିଶୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ପୋଖରୀ କୂଳରେ ବସି ସୋଫା କରୁଥିଲେ । ଏହି ସମୟରେ ହଠାତ୍ ୪ ଜଣ ଶିଶୁ ପାଣିରେ ବୁଡ଼ିଯାଉଥିବା ଦେଖି ପ୍ରଥମେ ଅସମତି ଜାନୀ (୪୭), ସ୍ୱାମୀ ଜଗତ ଜାନୀ, ସେମାନଙ୍କୁ ବଞ୍ଚାଇବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ। ସେ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରୁଥିବା ସମୟରେ ନିଜେ ମଧ୍ୟ ପାଣିରେ ବୁଡ଼ିବାକୁ ଲାଗିଥିଲେ।ଏହା ଦେଖି ସେଠାରେ ଥିବା ଅନ୍ୟ ମହିଳା ଗଙ୍ଗୟୀ ଜାନୀ (୪୫), ସ୍ୱାମୀ ଉର୍ଦ୍ଧବ ଜାନୀ, ତୁରନ୍ତ ପୋଖରୀକୁ ଡେଇଁ ପଡ଼ି ଅବଶିଷ୍ଟ ଦୁଇ ଶିଶୁଙ୍କ ସହ ଅସମତିଙ୍କୁ ଉଦ୍ଧାର କରିଥିଲେ। ଏହିପରି ଭାବେ ଦୁଇ ମହିଳାଙ୍କ ଉଦ୍ୟମରେ ଚାରି ଜଣ ଶିଶୁଙ୍କ ଜୀବନ ରକ୍ଷା ପାଇଥିଲା।ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ଅସମତି ଜାନୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଉଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅସମତି ଜାନୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉଦ୍ଧାର ହୋଇଥିବା ଚାରି ଜଣ ଶିଶୁ ହେଲେ ଜ୍ୟୋତି ଜାନୀ (୧୦), ସୋନାଲି ଜାନୀ (୧୧), ଗେଲ୍ହିମଣି ଜାନୀ (୧୦) ଏବଂ ରଞ୍ଜନ ଜାନୀ (୭)।ଅସମତି ଜାନୀ ରାଜାମାଟୁ ସ୍କୁଲରେ ରୋଷେୟା (କୁକ୍) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଏହି ସାହସିକ ଉଦ୍ୟମ ଯୋଗୁଁ ଚାରିଟି ନିରୀହ ଜୀବନ ବଞ୍ଚିଯାଇଥିବା ବେଳେ ନିଜ ଜୀବନ ହରାଇବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।ଏହି ଦୁଃଖଦ ଘଟଣା ପରେ ମୃତ ଅସମତି ଜାନୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଉଚିତ ଆର୍ଥିକ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଚଳବାସୀ ଏବଂ ପରିବାରବର୍ଗ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

Leave A Reply

Your email address will not be published.