ସମ୍ମାନ ଓ ସ୍ୱାବଲମ୍ବନ ଦିଗରେ ଆଉ ଏକ ପଦକ୍ଷେପ। ଭଞ୍ଜନଗର ବ୍ଲକର ୧୭୧୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ଦ୍ୱାରା ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭଉଣୀମାନେ ଉପକୃତ ହୋଇଛନ୍ତି। ସମାଜର ପ୍ରତ୍ୟେକ ଅସହାୟ ବର୍ଗଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଏହାର ଲକ୍ଷ୍ୟ।
ଭଞ୍ଜନଗର ବ୍ଲକରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ଏବଂ ୧୭୧୮ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବଣ୍ଟନ। ଉପସ୍ଥିତ ଥିଲେ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଓ ପ୍ରଶାସନିକ ଅଧିକାରୀଗଣ।
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମଧୁବାବୁ ପେନସନ୍ ଯୋଜନା ଅନ୍ତର୍ଗତ ଭଞ୍ଜନଗର ବ୍ଲକର ୧୭୧୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗରର ମାନ୍ୟବର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ନବନିଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହାଦ୍ୱାରା ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ମହିଳାଙ୍କ ସମେତ ସମାଜର ଅସହାୟ ବର୍ଗର ଲୋକମାନେ ଉପକୃତ ହୋଇଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ନାୟକ ସାମାଜିକ ସୁରକ୍ଷା ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସମାଜର ଅସହାୟ, ନିରାଶ୍ରୟ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସେମାନଙ୍କୁ ସମ୍ମାନର ସହ ଜୀବନଯାପନ କରିବାର ସୁଯୋଗ ପ୍ରଦାନ କରିବା ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ପଦକ୍ଷେପ। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ଦିଗରେ ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନରୀସଭା ନାୟକ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରତିନିଧି ଶ୍ରୀ ଶିବଶଙ୍କର ପ୍ରଧାନ, ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀ ଧୋବା ଗୌଡ଼, ଭଞ୍ଜନଗର ବିଡିଓ ଶ୍ରୀମତୀ ଭାରତୀ ଦେବୀ, ତହସିଲଦାର ଶ୍ରୀମତୀ ଅଭିସ୍ପା ପଟ୍ଟନାୟକ, ଏବିଡିଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି।