ଛତ୍ରମା ଜମି ବିବାଦରେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ;

7

ଡିସେମ୍ବର ୨ରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍; ତଦନ୍ତ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ସଦର ପୁଲିସକୁ ନିର୍ଦ୍ଦେଶ


ଖୋର୍ଦ୍ଧା, ୨୩।୧୧: ଜମିରେ ଜୋରଜବରଦସ୍ତ ପ୍ରବେଶ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ଉଦ୍ୟମ ହେଉଥିବା ଅଭିଯୋଗକୁ ନେଇ ଛତ୍ରମା ଗ୍ରାମରେ ଦେଖାଦେଇଥିବା ଜମିଜମା ବିବାଦରେ ହସ୍ତକ୍ଷେପ କରିଛନ୍ତି ଖୋର୍ଦ୍ଧାର କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ୍। ବିବାଦକୁ କେନ୍ଦ୍ର କରି ଅଞ୍ଚଳରେ ଶାନ୍ତିଭଙ୍ଗ ହେବାର ଆଶଙ୍କା ଥିବାରୁ ବିବାଦୀୟ ଜମି ଉପରେ ଉଭୟ ପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖରେ ବିପକ୍ଷ ପକ୍ଷଙ୍କୁ ଉପସ୍ଥିତ ରହି କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ହୋଇଥିବାବେଳେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ସଦର ଥାନା ପୁଲିସକୁ କୁହାଯାଇଛି।
ଅଭିଯୋଗ ଅନୁଯାୟୀ, ଦୁର୍ଗାପ୍ରସାଦ ଗ୍ରାମର ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ଦାବିମୁତାବକ ଜମିରେ ବିପକ୍ଷ ପକ୍ଷ ବିନା ଅନୁମତିରେ ପ୍ରବେଶ କରିବା ସହ ନିର୍ମାଣ କାର୍ଯ୍ୟ ପାଇଁ କଳା ମୁଗୁନି ପଥର ଆଣି ଗଚ୍ଛିତ କରୁଥିଲେ। ଏହାକୁ ନେଇ ଜମି ଜବରଦଖଲ ହେବାର ଆଶଙ୍କା ପ୍ରକାଶ କରିଥିଲେ ଆବେଦନକାରୀ। ଏହି ଘଟଣାରୁ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ଓ ଶାନ୍ତିଭଙ୍ଗ ହେବାର ଆଶଙ୍କା କରି ସେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ଆଇନଗତ ପ୍ରତିକାର ପାଇଁ ଆବେଦନ କରିଥିଲେ।
ନଭେମ୍ବର ୧୬ ତାରିଖରେ ନିର୍ବାହୀ ମାଜିଷ୍ଟ୍ରେଟ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ଅନୁଯାୟୀ ଏକ ମାମଲା ରୁଜୁ କରି ଏହି ଅନ୍ତରୀଣ ଆଦେଶ ଦେଇଛନ୍ତି। ଆବେଦନ ରେ
ବିପକ୍ଷ ପକ୍ଷ ଭାବେ ସିଭାମ୍ କନ୍‌ଡେଭ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏ.ଆର.ଏସ.ଏସ ଇନ୍‌ଫ୍ରାର ପରିଚାଳନା ନିର୍ଦ୍ଦେଶକ ରାହୁଲ ଅଗ୍ରୱାଲ ଏବଂ ରାଜେଶ ଅଗ୍ରୱାଲଙ୍କ ନାମ ଉଲ୍ଲେଖ ରହିଛି। ସେମାନେ ଜମିରେ ଜୋରଜବରଦସ୍ତି ପ୍ରବେଶ କରି ନିର୍ମାଣ କାର୍ଯ୍ୟ ପାଇଁ ପଥର ଆଣିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ପୁଲିସକୁ ଜଣାଇଥିଲେ ମଧ୍ୟ ଉପଯୁକ୍ତ ଆଇନଗତ ପ୍ରତିକାର ପାଇଁ ସକ୍ଷମ ଅଦାଲତଙ୍କ ଆଶ୍ରୟ ନେବାକୁ ପରାମର୍ଶ ମିଳିଥିବା ସେ ଆବେଦନରେ ଦର୍ଶାଇଛନ୍ତି।
ବିବାଦୀୟ ଜମିରେ ଅନଧିକୃତ କାର୍ଯ୍ୟ ରୋକା ନଗଲେ ଘଟଣା ଉଗ୍ରରୂପ ନେଇ ରକ୍ତପାତ ଏପରିକି ଜୀବନହାନି ହେବାର ଆଶଙ୍କା ଥିବା ଆବେଦନକାରୀ ଉଲ୍ଲେଖ କରିଥିଲେ। ଏହାକୁ ଗୁରୁତ୍ୱ ଦେଇ ମାଜିଷ୍ଟ୍ରେଟ ଆବେଦନ ଓ ସତ୍ୟପାଠ ଯାଞ୍ଚ କରିବା ସହ ଖୋର୍ଦ୍ଧା ତହସିଲଦାରଙ୍କ ପକ୍ଷରୁ ଚିଠି ନମ୍ବର ୮୧୦୧, ତାରିଖ ୧୬.୧୧.୨୦୨୬ରେ ଦାଖଲ ରିପୋର୍ଟକୁ ମଧ୍ୟ ବିଚାରକୁ ନେଇଥିଲେ। ଏହାପରେ ଅଞ୍ଚଳରେ ଶାନ୍ତିଭଙ୍ଗ ହେବାର ଯଥେଷ୍ଟ ଆଶଙ୍କା ଥିବା ଦର୍ଶାଇ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଉଭୟ ପକ୍ଷଙ୍କୁ ଯଥାସ୍ଥିତି ବଜାୟ ରଖିବାକୁ ଆଦେଶ ଦେଇଥିଲେ।
ଏଥିସହ ଆସନ୍ତା ଡିସେମ୍ବର ୨ ତାରିଖରେ ବିପକ୍ଷ ପକ୍ଷଙ୍କୁ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିବା ସହ କାହିଁକି ସେମାନଙ୍କ ବିରୋଧରେ ପ୍ରତିଷେଧମୂଳକ ପଦକ୍ଷେପ ନିଆ ନଯିବ, ସେ ସମ୍ପର୍କରେ କାରଣ ଦର୍ଶାଇବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଖୋର୍ଦ୍ଧା ସଦର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ପାଞ୍ଚ ଦିନ ମଧ୍ୟରେ ବିପକ୍ଷ ପକ୍ଷଙ୍କୁ ଆଦେଶର ନକଲ ପ୍ରଦାନ, ଘଟଣାସ୍ଥଳରେ ଆଦେଶନାମା ପ୍ରଚାର କରିବା ସହ ନୋଟିସ ଜାରିର ପ୍ରମାଣପତ୍ର ଶୁଣାଣି ପୂର୍ବରୁ ଅଦାଲତରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।
ଆଦେଶରେ ଉଲ୍ଲେଖିତ ଜମି ଛତ୍ରମା ମୌଜାରେ ଅବସ୍ଥିତ। ଏଥିରେ ବିଭିନ୍ନ ଖାତା ନମ୍ବର ଯଥା ୩୭୯, ୬୪, ୪୩୬, ୫୫୬/୬୯, ୫୬ ଓ ୧୧୭ ଅଧୀନରେ ଥିବା ଏକାଧିକ ପ୍ଲଟ୍ ସାମିଲ ରହିଛି। ଏହି ଜମିର ମୋଟ ରେକର୍ଡଭୁକ୍ତ ପରିମାଣ ପ୍ରାୟ ୩.୫୩୬ ଏକର ବୋଲି ଜଣାପଡ଼ିଛି। ଡିସେମ୍ବର ୨ ତାରିଖରେ ବିପକ୍ଷ ପକ୍ଷଙ୍କ ଜବାବ ଏବଂ ପୁଲିସର ତଦନ୍ତ ରିପୋର୍ଟ ଉପରେ ପରବର୍ତ୍ତୀ ଶୁଣାଣିର ନିଷ୍ପତ୍ତି ନିର୍ଭର କରିବ। ତେବେ ଏହି ଅନ୍ତରୀଣ ଆଦେଶ ଦ୍ୱାରା ବିବାଦର ଉତ୍ତେଜନା ହ୍ରାସ ପାଇବା ସହ ଅଞ୍ଚଳରେ ଶାନ୍ତି ବଜାୟ ରହିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.