ନୂଆସାହି ବାପ୍ଟିଷ୍ଟ ମଣ୍ଡଳୀର ୧୦୭ତମ ପ୍ରତିଷ୍ଠା ଦିବସ ପାଳିତ ।

7

ଘୁ. ଉଦୟଗିରି, ୨୩/୧.(ଅବନୀ କୁମାର ପ୍ରଧାନ ) ସ୍ଥାନୀୟ ପରିଷଦ ଅନ୍ତର୍ଗତ ନୂଆସାହି ବାପ୍ଟିଷ୍ଟ ମଣ୍ଡଳୀର ୧୦୭ତମ ପ୍ରତିଷ୍ଠା ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ କ୍ଷମାଶିଳ ବାଗଙ୍କ ନେତୃତ୍ୱରେ ତିନିଦିନିଆ ଧାର୍ମିକ ଓ ସାଂସ୍କୃତିକ ସାହିତ ସ୍ଥାପନ ଦିବସ ଉତ୍ସବ ଆୟୋଜିତ ହୋଇଥିଲା। ଶନିବାର ଅପରାହ୍ନରେ ଉତ୍ସବର ଉଦ୍‌ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳୀର ଉପସଭାପତି ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ମାଇକେଲ ନାଗ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ। ରବିବାର ମଧ୍ୟ ପାଳକ ଆଚାର୍ଯ୍ୟ କ୍ଷମାଶିଳ ବାଗଙ୍କ ପରିଚାଳନାରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ସୋମବାର ୨୩ ତାରିଖରେ ପ୍ରତିଷ୍ଠା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମଣ୍ଡଳୀର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ ବିଶ୍ୱାସୀମାନଙ୍କୁ ୧୦୭ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଦିପ୍ତିପୁରରୁ ଆସିଥିବା ମୁଖ୍ୟ ବକ୍ତା ଆଚାର୍ଯ୍ୟ ମାଇକେଲ ନାଗ ବାଇବଲର ମାର୍କ ୨:୧-୫ ପଦକୁ ଆଧାର କରି ‘ଆତ୍ମସମୀକ୍ଷା’ ବିଷୟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିଲେ। “ନିଜ ଜୀବନ ଓ ଆଚରଣର ସାକ୍ଷ୍ୟ ଦେଖି ଅନ୍ୟମାନେ କାହିଁକି ଯୀଶୁଙ୍କ ନିକଟକୁ ଆସୁନାହାନ୍ତି”, ସେ ନେଇ ପ୍ରତ୍ୟେକ ବିଶ୍ୱାସୀ ନିଜକୁ ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଶପ୍ ଆଚାର୍ଯ୍ୟ ଅବେଦ ନାୟକ, ଆଚାର୍ଯ୍ୟ ରାଜକିଶୋର ଦିଗାଲ ଓ ଆଚାର୍ଯ୍ୟ ସୁଧାଂଶୁ ନାୟକ ଯୋଗଦେଇଥିଲେ। ପରେ କେକ୍ କାଟି ମଣ୍ଡଳୀର ୧୦୭ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ବିଶ୍ୱାସୀ ଯୋଗଦେଇଥିଲେ। ମହିଳା ସମିତି ଓ ଉଦ୍‌ଯୋଗ ସମିତିର କର୍ମକର୍ତ୍ତାମାନେ ସଙ୍ଗୀତ ପରିବେଷଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.